ହଜାର ହଜାର ହେକ୍ଟର ଜମିରେ ପଡ଼ିରହିଛି କଟା ଧାନ। ଚାଷୀ କାଟିପାରୁନି କି ଅମଳ କରିପାରୁ ନାହିଁ। ଲଘୁଚାପ ଜନିତ ବର୍ଷା ଏବେ ସବୁ କିଛି ଛଡ଼ାଇ ନେଇଛି। ଜମିରେ କଟା ହୋଇ ପଡ଼ିଥିବା ଧାନ ଗଜା ଧରିଲାଣି। ଆଉ କେଉଁଠି ବିଲରେ ହିଁ ନଡ଼ା ପଚିଗଲାଣି। ଉପକୂଳରୁ ପଶ୍ଚିମ ଓଡ଼ିଶା ଅଥବା ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଆଡେ ଚାଷୀ କ୍ଷତିଗ୍ରସ୍ତ। ଗୋଟିଏ ପରେ ଗୋଟିଏ ଲଘୁଚାପ ଏବେ ଚାଷୀଙ୍କ ହୋସ ଉଡ଼ାଇ ଦେଇଛି। ପ୍ରଥମେ ଗଜା ମରୁଡ଼ି, ପରେ ଅଭାବୀ ବୃଷ୍ଟି ଆଉ ଏବେ ଅମଳ ସମୟରେ ବର୍ଷା ଭିଜାଇ ଦେଇଛି ଚାଷୀଙ୍କ ବର୍ଷକର ଆହାର। ଧାନ ଫସଲ ଉଜୁଡ଼ିବା ପରେ ସାରା ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
