କଟକ: କଟକର ଶିଶୁଭବନ ପରିସରରେ ରହିଛି ଐତିହାସିକ ଲାଲବାଗ କୋଠି, ପୁରୁଣା ରାଜଭବନ। ମୋଗଲ ଶାସନ ସମୟରେ ସାଲବେଗଙ୍କ ବାପା ଲାଲ୍ ବେଗଙ୍କ ଦ୍ବାରା ଏହି କୋଠି ନିର୍ମାଣ କରିଥିବା ବେଳେ ସେଠାରେ ପରବର୍ତ୍ତୀ ସମୟରେ ମରାଠା ଓ ଇଂରେଜ ଶାସକ ରହୁଥିଲେ। ଦେଶ ସ୍ବାଧୀନତା ପରେ ତାହାକୁ ରାଜ୍ୟର ରଜଭବନ ଭାବେ ବ୍ୟବହାର କରାଯାଉଥିଲା। ଏହି କୋଠାକୁ ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବି ଆସିଥିଲେ। ଏଭଳି ଐତିହାସିକ ମହତ୍ବ ରଖୁଥିବା ଏହି କୋଠାରେ ଶିଶୁ ଭବନର ପୁରୁଣା ୱାର୍ଡ ଚାଲିଥିଲା। କିନ୍ତୁ ଏହି ଐତିହାସିକ କୋଠାକୁ ପରପିଢି ପାଇଁ ସଂରକ୍ଷିତ ନ ରଖି ଶିଶୁ ଭବନରେ ନବ ନିର୍ମିିତ ୭ତାଲା କୋଠା ପାଇଁ ଭାଙ୍ଗି ଦିଆଯିବାର କ୍ଷେତ୍ର ପ୍ରସ୍ତୁତ ହେଉଛି। ଯେଉଁଭଳି ଢଙ୍ଗରେ ଏବେ ସେଠାରେ ରାସ୍ତା ଓ ଗେଟ୍ ତିଆରି ହୋଇଛି, ସେଥିରେ ଏହି ଐତିହାସିକ କୋଠାକୁ ଭାଙ୍ଗି ଦିଆଯିବାର ନିଷ୍ପତ୍ତି ହୋଇଥିବା ଅନୁଭବ ହେଉଛି। କାରଣ ସେହି ଗେଟରେ ନୂଆ କୋଠାକୁ ଆସିବାକୁ ହେଲେ ଏହି ଐିତିହାସିକ କୋଠାକୁ ଭାଙ୍ଗିବାକୁ ପଡିବ। କେବଳ ଦୋଷ ଛଡାଇବାକୁ କର୍ତ୍ତୃପକ୍ଷ ଏବେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଉଛି ବୋଲି କହିଛନ୍ତି।
ଲାଲବାଗ କୋଠୀରେ ଶିଶୁଭବନର ଵାର୍ଡ-୨, ସର୍ଜରି ଵାର୍ଡ ଇତ୍ୟାଦି କାର୍ଯ୍ୟ କରି ଆସୁଥିଲା। ଶିଶୁ ଭବନ ପରିସରରେ ଏବେ ୭ ମହଲା ବିଶିଷ୍ଟ କୋଠା ପାଇଁ ସର୍ଜରି ଵାର୍ଡ ପଛପଟେ ଗେଟ୍ ନିର୍ମାଣ ଶେଷ ହୋଇଛି। ସାତ ମହଲା କୋଠାରୁ ଏକ ରାସ୍ତା ଏହି ବାଟେ ବେଲଭ୍ୟୁ ଛକ ଯାଏ ଯିବ। ପୁରୁଣା ଐତିହାସିକ କୋଠାରେ ଥିବା ସର୍ଜରି ଵାର୍ଡରୁ ସମସ୍ତ ରୋଗୀଙ୍କୁ ବହୁଦିନ ହେଲା ଜରୁରିକାଳୀନ ଵାର୍ଡ ନିକଟକୁ ସ୍ଥାନାନ୍ତର କରାଯାଇଛି। ବେଡ୍ ବି ସ୍ଥାନାନ୍ତର ହୋଇସାରିଥିବା ବେଳେ ଵାର୍ଡରେ ଲାଗିଥିବା ଫ୍ୟାନ୍ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ କଢ଼ାଯିବା ପ୍ରକ୍ରିୟା ସରିଛି। ଫଳରେ ଯେ କୌଣସି ମୂହୁର୍ତ୍ତରେ ଏହି କୋଠା ମାଟିରେ ମିଶିବା ଆଶଙ୍କା ବଢିବାରେ ଲାଗିଛି। ପୂର୍ତ୍ତବିଭାଗର ଜଣେ ବରିଷ୍ଠ ଯନ୍ତ୍ରୀଙ୍କ କହିବା କଥା ହେଲା, ସେହି ପୁରୁଣା କୋଠାକୁ ଭଙ୍ଗାଯିବ ନା ନାହିଁ ସେ ସଂପର୍କରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ଯାହା ପଦକ୍ଷେପ ନିଆଯିବ। ଅନ୍ୟପଟେ ଏହି ନୂଆ କୋଠାକୁ ସଂଯୋଗ କରୁଥିବା ଗେଟ୍ ସମ୍ମୁଖ ରାସ୍ତାକୁ ଏବେ ତିଆରି କରିବା ଆରମ୍ଭ କରାଯାଇଛି। ନୂଆ କୋଠା ପାଇଁ ଯେଉଁ ଫାଟକ ତିଆରି ହେଉଛି ତାକୁ ମିଶାଇଲେ ଆଗକୁ ଶିଶୁଭବନ ପାଇଁ ୪ଟି ଫାଟକ ହେବ। ସେଥିରୁ କେବଳ ରିଂ-ରୋଡ ପଟରୁ ୩ଟି ଫାଟକ ଥିବାବେଳେ ଅନ୍ୟଟି ପ୍ରଥମ ତଥା ପୁରୁଣା ଲାଲ୍ବାଗ ଥାନା ସମ୍ମୁଖ ଫାଟକ। ପୁରୁଣା ତଥା ସବୁଠୁ ଗୁରୁତ୍ବପୂର୍ଣ୍ଣ ଫାଟକ କିନ୍ତୁ ୧୦ବର୍ଷରୁ ଅଧିକ ହେବ ତାଲା ପଡିଛି। ଫାଟକ ସମ୍ମୁଖ ଅଞ୍ଚଳ ଜବରଦଖଲରେ ରହିଛି। କର୍ତ୍ତୃପକ୍ଷ ଗୋଟିଏ ପଟେ ରୋଗୀ ଓ ରୋଗୀ ସଂପର୍କୀୟଙ୍କ ସ୍ବାର୍ଥକୁ ଭୁଲି ମୁଖ୍ୟ ଫାଟକରେ ତାଲା ପକାଇଥିବା ବେଳେ ଅନ୍ୟପଟେ ଐତିହାସିକ କୋଠାକୁ ଭାଙ୍ଗିବା ପାଇଁ ଯୋଜନା ଅସନ୍ତୋଷର କାରଣ ହୋଇଛି।