କଟକ: ଭୋଟର ପରିଚୟପତ୍ର ଓ ଭୋଟର ତାଲିକାରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖକୁ ଆଧାର କରି ଜଣେ ବ୍ୟକ୍ତିଙ୍କ ଜନ୍ମ ତାରିଖ ନିରୂପଣ କରାଯାଇ ପାରିବ ନାହିଁ। ତେଣୁ ଭୋଟର ପରିଚୟପତ୍ରରେ ରହିଥିବା ଜନ୍ମ ତାରିଖକୁ ଆଧାର କରି ବୀମା ବାବଦ ଅର୍ଥ ଦାବିକୁ ଅଗ୍ରାହ୍ୟ କରି ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଆବେଦନକାରୀଙ୍କୁ ଜୀବନବୀମା ପଲିସି ବାବଦ ଅର୍ଥ ଚାରି ସପ୍ତାହ ଭିତରେ ପ୍ରଦାନ କରିବା ଲାଗି ଏଲଆଇସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡ.ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ତପସ୍ବିନୀ ପଣ୍ଡାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ବୀମା ପଲିସି ସଂପର୍କିତ (ପ୍ରପୋଜାଲ) ପ୍ରସ୍ତାବ ଫର୍ମ ଅଧିକ ସଂପୂର୍ଣ୍ଣ, ସରଳ ଓ ଅର୍ଥପୂର୍ଣ୍ଣ ହେବା ଉଚିତ। ଏ ସଂପର୍କିତ ପ୍ରଶ୍ନ ଓ ଉତ୍ତର ଭଲ ଭାବେ ପ୍ରସ୍ତାବକଙ୍କୁ ବୁଝାଯିବା ଆବଶ୍ୟକ। ବୀମା ପଲିସିରେ ଦସ୍ତଖତ ଆଣିବା ପୂର୍ବରୁ ପ୍ରସ୍ତାବକଙ୍କୁ ଘୋଷଣାନାମା ସଂକ୍ରାନ୍ତରେ ଅବଗତ କରାଯିବା ଉଚିତ।

