ଆଜି ପ୍ରଦାନ କରାଯାଇଛି ରାଷ୍ଟ୍ରୀୟ ଖେଳ ରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ବର୍ଗରେ କୃତୀ ଖେଳାଳୀଙ୍କୁ ମେଜର୍ ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଓ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି । ଯୁଗଳ ଅଲମ୍ପିକ ପଦକ ବିଜେତା ମନୁ ଭାକର, ବିଶ୍ୱ ଚେସ୍ ଚମ୍ପିଆନ୍ ଗୁକେସ ଡି, ଭାରତୀୟ ପୁରୁଷ ହକି ଦଳ ଅଧିନାୟକ ହରମନପ୍ରୀତ ସିଂହ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାର ଖେଳ ରତ୍ନ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୫ ଜଣ ଖେଳ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଜାନୁଆରୀ ପ୍ରଥମ ସପ୍ତାହରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା କ୍ରୀଡ଼ା ପୁରସ୍କାର ୨୦୨୪ ଘୋଷଣା କରାଯାଇଥିଲା।
ଅଲିମ୍ପିକ୍ସ ଡବଲ ମେଡାଲିଷ୍ଟ ହେଉଛନ୍ତି ମନୁ ଭାକର । ପ୍ଯାରିସ ଅଲିମ୍ପିକ୍ସ ସୁଟିଂରେ ମନୁ ୨ ଟି ପଦକ ଜିତି ଇତିହାସ ରଚିଥିଲେ । ଗୋଟିଏ ଅଲିମ୍ପିକ୍ସରେ ଏକକ ବର୍ଗରେ ଦୁଇଟି ମେଡାଲ ଜିତିବାରେ ପ୍ରଥମ ଭାରତୀୟ ଆଥଲେଟ ହୋଇ ଇତିହାସ ରଚିଥିଲେ ମନୁ ଭାକର। ସେହିଭଳି ହକି ଖେଳାଳି ହର୍ମନପ୍ରୀତ୍ ଲଗାତାର ଦ୍ବିତୀୟ ଥର ଅଲିମ୍ପିକ୍ କାଂସ୍ୟ ପଦକ ଜିତିବାର ଗୌରବ ପାଇଥିଲେ। ଅନ୍ୟପକ୍ଷରେ ୧୮ ବର୍ଷୀୟ ଗୁକେଶ ବିଶ୍ବ ଚେସ୍ ମୁକୁଟ ଜିତିବାରେ ସର୍ବକନିଷ୍ଠ ହୋଇଥିଲେ। ଏଥିସହ ସେ ଭାରତର ଐତିହାସିକ ଚେସ୍ ଅଲିମ୍ପିଆଡ୍ରେ ସ୍ବର୍ଣ୍ଣ ପଦକ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ପାରା ହାଇଜମ୍ପର ପ୍ରବୀଣ ପ୍ୟାରିସ୍ ପାରାଲିମ୍ପିକ୍ସର ଟି-୬୪ ବର୍ଗରେ ବିଜେତା ହୋଇଥିଲେ।