Oplus_131072

ଭୁବନେଶ୍ବର: ମୌସୁମୀରେ ପ୍ରତିବର୍ଷ ଭୁବନେଶ୍ବର ଡେଙ୍ଗୁଜ୍ବରରେ ଥରୁଛି। ଚଳିତବର୍ଷ ବି ଏଥିରେ କୌଣସି ବ୍ୟତିକ୍ରମ ହୋଇନାହିଁ। ରାଜଧାନୀରେ ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତମାସରେ ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।ସହରାଞ୍ଚଳରେ ରୋଗ ନିୟନ୍ତ୍ରଣ ସାଙ୍ଗକୁ ଅନ୍ୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଏକ ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳନା(ସିପିଏମ୍‌) ୟୁନିଟ୍‌ ଗଠନ ହୋଇଛି। ରାଜଧାନୀରେ ଥିବା ଏହି ସିପିଏମ୍‌ ୟୁନିଟ୍‌ଟି ରୋଗ ନିୟନ୍ତ୍ରଣ ଦିଗରେ ପ୍ରକୃତରେ କ’ଣ କାମ କରୁଛି ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ଏହି ୟୁନିଟ୍‌ ଏକପ୍ରକାର ଅଚଳ ହୋଇ ପଡ଼ିଥିବା ଅଭିଯୋଗ ହେଉଛି।

ସିପିଏମ୍‌ ୟୁନିଟ୍‌ରେ ଜଣେ ସିପିଏମ୍‌ଙ୍କ ସମେତ ୨ଜଣ ଏପିଏମ୍‌, ୧୧ଜଣ ପିଏଚ୍‌ଏମ୍‌, ୬୭ଜଣ ଏଏନ୍‌ଏମ୍‌ ଓ ୧୦୦ରୁ ଅଧିକ ସହରାଞ୍ଚଳ ଆଶାକର୍ମୀ କାର୍ଯ୍ୟ କରୁଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିସନ୍‌(ଏନ୍‌ଏଚ୍‌ଏମ୍‌), ଓଡ଼ିଶା ପକ୍ଷରୁ ଏହି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରୋଗ ନିୟନ୍ତ୍ରଣ ପାଇଁ ସଚେତନତା, ଟିକାକରଣ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସିପିଏମ୍‌ ୟୁନିଟ୍‌ ଉପରେ ନ୍ୟସ୍ତ ହୋଇଛି। କିନ୍ତୁ ପ୍ରତିବର୍ଷ ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ଡେଙ୍ଗୁ ସଂକ୍ରମଣ ହେଉଥିବା ବେଳେ କିଭଳି ଢଙ୍ଗରେ ଏହାକୁ ନିୟନ୍ତ୍ରଣ କରାଯିବ, ତାହା ଉପରେ କୌଣସି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହେଉନାହିଁ। ଗତବର୍ଷ ଭୁବନେଶ୍ବରରେ କେବଳ ୧୨ହଜାରରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଚଳିତବର୍ଷ ଖୋର୍ଦ୍ଧା ଜିଲ୍ଲାରୁ ୫୯୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ଭୁବନେଶ୍ବରରୁ ସର୍ବାଧିକ ରୋଗୀ ରହିଛନ୍ତି। ନିକଟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ ଓ ତାଙ୍କ ପତ୍ନୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ଓ ଏଥିରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ରାଜଧାନୀର ନୀଳାଦ୍ରିବିହାର ଅଞ୍ଚଳର ଲୁମ୍ବିନିବିହାରରେ ତାଙ୍କ ଘର ରହିଛି। ସେହିପରି ସିପିଏମ୍‌ ୟୁନିଟ୍‌ର ବଦଳିକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। କିଛିମାସ ପୂର୍ବରୁ ଭୁବନେଶ୍ବର ସିପିଏମ୍‌ରେ ଥିବା ସବୁ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ହୋଇଥିଲା। ମାତ୍ର ଜଣେ ଅଧିକାରୀଙ୍କ ପାଖରେ ଏହି ବଦଳି ନିର୍ଦ୍ଦେଶ ଅଟକିଗଲା। ଅନ୍ୟ ଅଧିକାରୀ ବଦଳିଥିବା ବେଳେ ଜଣେ ଅଧିକାରୀଙ୍କ କ୍ଷେତ୍ରରେ ତାହା କିଭଳି ଲାଗୁ ହେଲାନାହିଁ, ତାହା ମଧ୍ୟ ରହସ୍ୟ ଭିତରେ ରହିଛି।

ଏୟୁଡିପିଏଚ୍‌ଓ ଡା.ନୀଳମଣି ସେନାପତି କହିଛନ୍ତି, ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ନିକଟରେ ୩୦ଜଣ ଡେଙ୍ଗୁ ସ୍ବେଚ୍ଛ‌ାସେବୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହାକୁ ମିଶାଇ ସ୍ବେଚ୍ଛାସେବୀଙ୍କ ସଂଖ୍ୟା ୩୫୧କୁ ବୃଦ୍ଧି ପାଇଛି। ଗତ ମେ’ ମାସରେ ଭୁବନେଶ୍ବରରେ ୧.୬% ମଶା ଉତ୍ସ ଥିବା ବେଳେ ଗତ ଜୁଲାଇ ମାସରେ ଏହା ୬୫%କୁ ବୃଦ୍ଧି ପାଇଛି। ବସ୍ତି ଅଞ୍ଚଳକୁ ବାଦ୍ ଦେଲେ ଅଣବସ୍ତି ଅଞ୍ଚଳରେ ମଶାଉତ୍ସକୁ ନଷ୍ଟ କରିବାରେ ସମସ୍ୟା ଉପୁଜୁଛି। ଲୋକମାନେ ନିଜ ଘରକୁ ସ୍ବେଚ୍ଛାସେବୀମାନଙ୍କ ପ୍ରବେଶ କରିବାକୁ ଦେଉନାହାନ୍ତି। ଅନ୍ୟପକ୍ଷରେ ରାଜଧାନୀରେ ସିପିଏମ୍‌ ୟୁନିଟ୍‌ରେ କମ୍ ସଂଖ୍ୟାରେ କର୍ମଚାରୀ ରହିଛନ୍ତି। ୧୫ଲକ୍ଷରୁ ଅଧିକ ‌ଜନସଂଖ୍ୟା ପାଇଁ ଯେଉଁ କର୍ମଚାରୀ ନିୟୋଜିତ ହୋଇଛନ୍ତି, ତାହା ଯଥେଷ୍ଟ ନୁହେଁ। ଆଗକୁ ଆବାସିକ ସଂଘଗୁଡ଼ିକୁ ସାମିଲ କରିବା ଲାଗି ଏକ ଯୋଜନା ପ୍ରସ୍ତୁତ ହୋଇଛି। ଖୁବଶୀଘ୍ର ଏହାର ରୂପରେଖ ସାମ୍ନାକୁ ଆସିବ। ସିପିଏମ୍ ୟୁନିଟ୍‌ର ସିପିଏମ୍‌ଙ୍କ ନବଦଳିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ବୋଲି ଡା.ସେନାପତି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *