Oplus_131072

ଶୁକ୍ରବାର ବିଧାନସଭାରେ ଖାଦ୍ୟ  ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର  ଖର୍ଚ୍ଚ ଦାବି ଉପସ୍ଥାପନ କରି ମନ୍ତ୍ରୀ  ଶ୍ରୀ ପାତ୍ର କହିଛନ୍ତି, ପୂର୍ବରୁ ଚାଉଳ  ବଣ୍ଟନରେ ହଜାର ହଜାର କୋଟିର  ଦୁର୍ନୀତି ହେଉଥିଲା । ଲୋକେ ମରିଯିବା  ପରେ ବି ସେମାନଙ୍କ ରାସନ୍‌ କାର୍ଡରେ  ଚାଉଳ ଉଠାଯାଉଥିଲା । ରାଜ୍ୟରେ ୧୬  ଲକ୍ଷରୁ ଅଧିକ ଭୂତ କାର୍ଡ ରହିଛି ।  ସେଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ସେମାନଙ୍କ ସ୍ଥାନରେ ନୂଆ  ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦେବାକୁ  କୁହାଯାଇଛି ।

ସେହିପରି ୫୦ କେଜିର ଚାଉଳ  ପ୍ୟାକେଟରେ ୪୨ରୁ ୪୩ କେଜି ଚାଉଳ  ରହୁଥିବା ଯାଞ୍ଚ ବେଳେ ଜଣାପଡ଼ିଛି ।  ଯାହାକୁ ରୋକିବାକୁ କୁହାଯାଇଛି ।  ମଣ୍ଡିରେ ଧାନ କଟନି, ଛଟନି ରୋକିବାକୁ  କଡ଼ା ପଦକ୍ଷେପ ନିଆଯାଇଛି । ଏହା  ସହିତ ଯେଉଁ ଦିନ ଚାଷୀଙ୍କୁ ମେସେଜ୍‌  ଯାଇଥିବ, ସେହିଦିନ ନେବାକୁ  ମିଲରମାନଙ୍କୁ କୁହାଯାଇଛି । ଯଦି ଚାଷୀଙ୍କୁ  କେହି ମିଲର ହଇରାଣ କରେ, ସମ୍ପୃକ୍ତ  ମିଲର କଳା ତାଲିକା ଭୁକ୍ତ ହେବେ ବୋଲି  ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

ଚଳିତ ଆର୍ଥିକ ବର୍ଷ ପାଇଁ ଖାଦ୍ୟ  ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ  ବାବଦରେ ମୋଟ ୩୩୦୭ କୋଟି ୯୯  ଲକ୍ଷ ୧୨ ହଜାର ଟଙ୍କାର ବ୍ୟୟ ବରାଦ  କରାଯାଇଛି । ଏଥିମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ  ପାଇଁ ୯୪ କୋଟି ୭୨ ଲକ୍ଷ ୭୫ହଜାର  ଟଙ୍କା ଓ ବିଭିନ୍ନ ଯୋଜନାର ସଫଳ  ରୂପାୟନ ପାଇଁ ମୋଟ ୩୨୧୩ କୋଟି  ୨୬ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟ ବରାଦ  ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ  ଦ୍ୱାରା ରାଜ୍ୟର ୯୨ ଲକ୍ଷ ୬୬ ହଜାର  ୪୯୧ ପରିବାରର ୩ କୋଟି ୨୫ ଲକ୍ଷ  ୯୩ ହଜାର ୮୭୫ ଯୋଗ୍ୟ ହତାଧିକାରୀ  ଉପକୃତ ହେଉଛନ୍ତି ।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ  ୩ ଲକ୍ଷ ୧୫ ହଜାର ୨୩୭ ପରିବାରର  ୧୦ ଲକ୍ଷ ୩ ହଜାର ୧୪୪ ଜଣ ଯୋଗ୍ୟ  ହିତାଧିକାରୀ ଉପକୃତ ହେଉଛନ୍ତି ।  ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୧,୯୩୭  ସୁଲଭ ମୂଲ୍ୟ ଦୋକାନ ଜରିଆରେ  ବାର୍ଷିକ ୨୩. ୧୭ ଲକ୍ଷ ମେଟ୍ରିକ ଟନ  ଖାଦ୍ୟଶସ୍ୟ ବିନା ମୂଲ୍ୟରେ ବଣ୍ଟନ  କରାଯାଉଛି । ଚଳିତ ଖରିଫରେ ୧୫.୩୨  ଲକ୍ଷ ଚାଷୀଙ୍କଠାରୁ ୭୦.୮୮ ଲକ୍ଷ ମେଟ୍ରିକ  ଟନ୍‌ ଧାନ କିଣାଯାଇଛି । ଗ୍ରାମ୍ୟସ୍ତରୀୟ  କ୍ଷେତ୍ର ବିଶ୍ଳେଷଣ ଯୋଜନା ବ୍ୟବହାର  କରି ପ୍ରକୃତ ଚାଷ ହୋଇଥିବା ଅଞ୍ଚଳକୁ  ଚିହ୍ନଟ କରି ଧାନ କିଣିବାରେ ଅଧିକ  ସ୍ୱଚ୍ଛତା ଆସିଛି ବୋଲି ମନ୍ତ୍ରୀ କହିଛନ୍ତି ।

ବିଭାଗୀୟ ବଜେଟ୍‌ ଆଲୋଚନାରେ  ବିରୋଧୀ ଦଳ ବିଜେଡିରୁ ନିରଞ୍ଜନ  ପୂଜାରୀ, ପ୍ରତାପ ଦେବ, ରାଜେନ୍ଦ୍ର  ଢୋଲକିଆ, କଂଗ୍ରେସରୁ ଅଶୋକ କୁମାର  ଦାସ, ଶାସକ ଦଳ ସଦସ୍ୟ ଓମ୍‌ପ୍ରକାଶ  ମିଶ୍ର, ପଦ୍ମଲୋଚନ ପଣ୍ଡା ଏବଂ ସନ୍ତୋଷ  ଖଟୁଆ ପ୍ରମୁଖ ଭାଗ ନେଇଥିଲେ । ତେବେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ  ଅସନ୍ତୁଷ୍ଟ ହୋଇ ଉଭୟ କଂଗ୍ରେସ ଓ  ବିଜେଡି ସଦସ୍ୟ କକ୍ଷ ତ୍ୟାଗ କରିଥିଲେ ।

Leave a Reply

Your email address will not be published. Required fields are marked *