ସହରରେ ଛାଇଗଲେଣି ବଞ୍ଜରା ଗ୍ୟାଙ୍ଗ୍।

ଭୁବନେଶ୍ୱର: କଟକ ଏବଂ ଭୁବନେଶ୍ୱରରେ ମାଡ଼ିଗଲେଣି ବନ୍ଜାରା ଗ୍ୟାଙ୍ଗ। ସହରର ମୁଖ୍ୟ ରାସ୍ତାଠାରୁ ଜାତୀୟ ରାଜପଥ ପାର୍ଶ୍ବ ସମେତ ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ବନ୍ଜାରା ଗ୍ୟାଙ୍ଗ୍ ଆଡ୍ଡା ଜମାଇ ବସିଛନ୍ତି। ଛତିଶଗଡ଼, ମଧ୍ୟପ୍ରଦେଶରୁ ଆସି ଏଠାରେ ବିଭିନ୍ନ ଛକ ଏବଂ ବ୍ରିଜ୍ ତଳେ ଆସ୍ଥାନ ଜମାଇ ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ଏହି ବନ୍ଜାରା ଗ୍ୟାଙ୍ଗ୍କୁ ଦେଖିବାକୁ ମିଳିଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ଖୁବ୍ କମ୍ ଦେଖିବାକୁ ମିଳୁଛି। ଠିକଣା ଓ ପରିଚୟ ନଥିବା ଏହି ବନ୍ଜାରାମାନେ ଏଠାରେ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସେମାନେ ବିଭିନ୍ନ ଛକରେ କଲମ, କାର ଡୋର୍ କଭର ଏବଂ ଅନ୍ୟାନ୍ୟ ଖେଳାନା ବିକ୍ରି କରୁଛନ୍ତି। ମଉକା ପାଇଲେ ସେମାନେ କାର କାଚ ଭାଙ୍ଗି କିମ୍ବା କୌଣସି କାର୍ ଡୋର ଖୋଲାଥିଲେ ଚୋରି କରୁଛନ୍ତି। ସନ୍ଧ୍ୟା ହେଲେ ଏମାନଙ୍କର କାମ ଆରମ୍ଭ ହୁଏ। ଦିନରେ ଏମାନେ ବୁଲିବୁଲି ଘର ଠିକ୍ କରନ୍ତି। ପରେ ସେମାନେ ଉକ୍ତ ଘରେ ପଶି ଚୋରି କରନ୍ତି। ଏବେ ଏମାନେ ରାଜଧାନୀରେ ଆତଙ୍କ ରଚୁଛନ୍ତି। ‘ମୋ ବସ୍’ରେ ଏହି ବନ୍ଜାରାମାନେ ଚଢ଼ି ଲୋକଙ୍କ ଠାରୁ ଟଙ୍କା ଏବଂ ସୁନା ଲୁଟ୍ କରୁଛନ୍ତି। ସହରକୁ ଏବେ ୬୦ରୁ ଅଧିକ ବନ୍ଜାରା ଗ୍ୟାଙ୍ଗ୍ ଆସିଛନ୍ତି। ସେମାନେ ବିଭିନ୍ନ ଛକରେ ରହି ଏଭଳି ଚୋରି କରୁଛନ୍ତି। ବଡ଼ ଦୁଃଖର କଥା ଏହି ବନ୍ଜାରା ଗ୍ୟାଙ୍ଗ୍ କେତେ ଜଣ ଏଭଳି ସହରରେ ଅଛନ୍ତି। ସେମାନଙ୍କ ଠିକଣା କ’ଣ, କେତେ ଜଣ ଅଛନ୍ତି। ସବୁ କିଛି ତଥ୍ୟ ସଂଗ୍ରହ କରି ଦେବାକୁ ୨୦୨୦ ଜାନୁୟାରୀ ୬ ତାରିଖ ରାଜ୍ୟ ମାନବାଧିକାର ଆୟୋଗ ଗୃହ ବିଭାଗ ସଚିବ ଏବଂ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏତି ମଧ୍ୟରେ ସାଢେ ୪ବର୍ଷ ବିତିଯାଇଥିଲେ ମଧ୍ୟ ପୁଲିସ ଏମାନଙ୍କ ତଥ୍ୟ ସଂଗ୍ରହ କରିନି। ପୁଲିସ କେବଳ ବିଭିନ୍ନ ଅପରାଧ ଘଟିଲେ ଅଭିଯୁକ୍ତ ଗିରଫ କରି ଜେଲ୍ ପଠାଉଛି। କିନ୍ତୁ ଏମାନଙ୍କ ତଥ୍ୟ ସଂଗ୍ରହ କରିବାକୁ ସମୟ ନାହିଁ। ଯେଉଁଥି ପାଇଁ ସହରରେ ଚୋରି କରିବାରେ ଏହି ଗ୍ୟାଙ୍ଗ୍ ସଫଳ ହେଉଛି।
ପିଲାଙ୍କୁ ଶିଖାଉଛନ୍ତି ଚୋରିର କୌଶଳ:
ଏଠାକୁ ଆସି ବିଭିନ୍ନ ଛକ ଏବଂ ବ୍ରିଜ୍ ତଳେ ରହୁଛନ୍ତି। ସେମାନଙ୍କ ପିଲାଙ୍କୁ ୭ବର୍ଷ ହେଲା ପରେ ସେମାନଙ୍କୁ ଚୋରିର କୌଶଳ ଶିଖାଉଛନ୍ତି। କିଭଳି ଭିକ୍ଷା ମାଗିବା ବାହାନାରେ ବୁଲିବେ। ଆଉ ମଉକା ପାଇଲେ ଲୋକଙ୍କୁ ପକେଟ୍ରୁ ପର୍ସ, ଭ୍ୟାନିଟ୍ ଆଦି ଚୋରି କରିବେ। ଏବେ ଛୋଟ ପିଲାଙ୍କୁ ‘ମୋ ବସ୍’ରେ ଯାଉଥିବା ଯାତ୍ରୀଙ୍କୁ କିଭଳି ଚୋରି କରାଯାଇ ହେବ ତାହାର ଶିକ୍ଷା ଦେଉଛନ୍ତି।
ମାରାତ୍ମକ ନିଶା କବଳରେ ବଞ୍ଜରା:
ଏଠାରେ ରହି ଚୋରି କରିବା ପରେ ସେମାନେ ଛୋଟଠୁ ବଡ଼ ବିଭିନ୍ନ ଛକରେ ଡେନ୍ଡ୍ରାଇଡ୍ ଏବଂ ଅନ୍ୟାନ୍ୟ ମାରାତ୍ମକ ନିଶା ଖାଉଛନ୍ତି। ଏଭଳି ନିଶା ଖାଇବା ପରେ ଚୋରି କରିବା ପାଇଁ ଯାଉଛନ୍ତି। ଯଦି ଚୋରି କରିବା ସମୟରେ ସେମାନଙ୍କ ଆଗରେ କେହି ଆସୁଛନ୍ତି ଆକ୍ରମଣ କରୁଛନ୍ତି।
