Oplus_131072

ଭୁବନେଶ୍ୱର,୭।୧୦: ଅକ୍ଟୋବର ୯ ତାରିଖରେ ବା ବୁଧବାର ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ ପୂର୍ବରୁ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ସରକାର। ସୋମବାର ଦିନ ତମାମ ଖବର ଚାଲିଥିଲା ଯେ, ଯେଉଁ ହିତାଧିକାରୀମାନଙ୍କୁ ଖାତାକୁ ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ଆସିବ ସେମାନଙ୍କ ଖଟକୁ ସରକାର ଏକ ଟଙ୍କା ପଠାଇଛନ୍ତି।

ତେବେ ସନ୍ଧ୍ୟାରେ ସରକାରଙ୍କ ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ଵଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟ ନିମନ୍ତେ ଏପରି କିଛି ବ୍ୟବସ୍ଥା ଏଯାବତ ଆରମ୍ଭ କରାଯାଇନାହିଁ। ସୋସିଆଲ ମିଡିଆରେ ଚାଲୁଥିବା ଏହି ମିଥ୍ୟା ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଉଛି।

ସୂଚନା ମୁତାବକ ଆସନ୍ତା ଅକ୍ଟୋବର ୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ।

ଅନ୍ୟପଟେ ସୋମବାର ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିବା “ସୁଭଦ୍ରା” ଯୋଜନାରେ ଏକ କୋଟିରୁ ଅଧିକା ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ ଉପଲବ୍ଧି ହେବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Leave a Reply

Your email address will not be published. Required fields are marked *