ସୂର୍ଯ୍ୟକାନ୍ତ ଲେଙ୍କାଙ୍କ ମାଲିକାନାରେ ଥିବା ତଥା ଅଭିଯୋଗ ଅନୁସାରେ ବିଧାୟକ ଧ୍ରୁବ ସାହୁ କାରବାର କରୁଥିବା ସ୍ୱାଦ ହୋଟେଲ ଉପରେ ବଡ଼ ଆକ୍ସନ ।ବହୁ ବିବାଦୀୟ ସ୍ୱାଦ ହୋଟେଲରୁ ହଟିଛି ୨୫ ଡିସମିଲ ଜଙ୍ଗଲ ଜମି l ୨୫ ଡିସମିଲରେ ହୋଇଥିବା ପାଇଖାନା ଓ ଡାଇନିଂକୁ ଭାଙ୍ଗି ନିଜ ଜାଗାକୁ ଦଖଲକୁ ନେଇଛି ବନ ବିଭାଗ । ତେବେ ହୋଟେଲ ଉପରେ ଆକ୍ସନ ଆରମ୍ଭ ହୋଇଥିବା ବେଳେ କେବେ ମାଲିକଙ୍କ ବିରୋଧରେ ଆକ୍ସନ ହେଉଛି ଏବେ ତାହାକୁ ହିଁ ଅପେକ୍ଷା ରହିଛି । ସେପଟେ ବାକି ଜାଗାରେ ନିର୍ମାଣ ହୋଇଥିବା ସ୍ୱାଦ ହୋଟେଲରେ କିଛି ରହସ୍ୟ ରହିଛି କି ? କାହିଁକି ନା ଯେଉଁ ଜଙ୍ଗଲ ପାଖରେ ଦୁଇଶହ ବର୍ଷ ଧରି ରହି ଆସୁଥିବା ବାଙ୍କୁଆଳ ବାସୀଙ୍କୁ ଏଯାଏଁ ସ୍ଥାୟୀ ପଟ୍ଟା ମିଳିପାରିନି, ସେହି ଜାଗାରେ ହୋଟେଲ ସ୍ୱାଦ ମାଲିକଙ୍କୁ ସ୍ଥାୟୀ ପଟ୍ଟା ମିଳିଲା କେମିତି ?
ରାଜସ୍ୱ ମନ୍ତ୍ରୀ ନିଜ ତରଫରୁ ତଦନ୍ତ କରି ଆକ୍ସନ ନେବା ପାଇଁ ସ୍ଥାନୀୟ ଲୋକ ଡିମାଣ୍ଡ କରିଛନ୍ତି । ସେପଟେ ହୋଟେଲ ସ୍ବାଦରେ ପ୍ରଥମେ ମାପଚୁପ୍ ବେଳେ ୨୪ ଡିସମିଲ୍ ଜଙ୍ଗଲ ଜମି ବାହାରିଥିବାର ରାଜନଗର ତହସିଲଦାର ଅଜୟ ମହାନ୍ତି କହିଥିଲେ । କିନ୍ତୁ ଗତକାଲି ପୁଣି ଦ୍ବିତୀୟ ଥର ମାପଚୁପ ବେଳେ ୨୫ ଡିସମିଲ ଜଙ୍ଗଲ ଜମି ବାହାରିଥିବାର ଭିତରକନିକା ବନ ସଂରକ୍ଷକ ମାନସ ଦାସ କହିଛନ୍ତି l ତେଣୁ ଏହାକୁ ନେଇ ବି ସଂଶୟ ସୃଷ୍ଟି ହୋଇଛି । ଗତକାଲି ସ୍ବାଦ ହୋଟେଲ ମାପଚୁପ କାର୍ଯ୍ୟରେ ପଟ୍ଟାମୁଣ୍ଡାଇ ତହସିଲଦାର ଉପସ୍ଥିତ ଥିଲେ ହେଲେ ରାଜନଗର ତହସିଲଦାର ଉପସ୍ଥିତ ନ ଥିଲେ l ରାଜନଗର ତହସିଲ ଅଧୀନରେ ସ୍ବାଦ ହୋଟେଲ ନିର୍ମାଣ ହୋଇଛି । ତେଣୁ ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ଠିଆ ହୋଇଛି ।