
ମୁଖ୍ୟମନ୍ତ୍ରୀ କହିଛନ୍ତି ଅନ୍ତ୍ୟୋଦୟ ଗୃହ ଯୋଜନାର ୪୮,୬୯୩ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଣ୍ଟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଓ ଦ୍ବିତୀୟ ପର୍ଯ୍ୟାୟରେ ୫୦ ହଜାର ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି। ଆଜି ତୃତୀୟ ପର୍ଯ୍ୟାୟରେ ୪୮ ହଜାର ୬୯୩ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି। ଗରିବ ଲୋକଙ୍କ ବାସଗୃହ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ଆମ ସରକାର ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ୭,୫୫୦ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ଏଥିରେ ୫ ଲକ୍ଷ ଘର ନିର୍ମାଣ କରାଯିବ ।
ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାର କିଛି ହିତାଧିକାରୀ ଯୋଗ ଦେଇଥିଲେ । କଳାହାଣ୍ଡି ଓ ନୂଆପଡା ଜିଲ୍ଲା ବ୍ୟତୀତ ଆଜି ୪୮ ହଜାର ୬୯୩ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ମୁଖ୍ଯ ଶାସନ ସଚିବ ମନୋଜ ଆହୁଜା ମଧ୍ଯ ଉପସ୍ଥିତ ଥିଲେ।
