Oplus_131072

ବିଶାଖାପାଟ୍‌ନମ୍‌: ଆନ୍ଧ୍ରପ୍ରଦେଶର କିଷ୍ଣା ଜିଲ୍ଲାର ଏକ ଇଞ୍ଜିନିୟରିଂ କଲେଜରେ ବାଳିକା ହଷ୍ଟେଲର ଗାଧୁଆଘରେ ଏକ ଲୁକ୍କାୟିତ କ୍ୟାମେରା ବା ହିଡେନ୍‌ କ୍ୟାମେରା ଆବିଷ୍କୃତ ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ହିଡେନ୍‌ କ୍ୟାମେରାରେ କଏଦ ହୋଇଥିବା ଏହି ଭିଡିଓ ଏବେ ପ୍ରସାରିତ ହେଉଥିବା ଅଭିଯୋଗ ହୋଇଛି। ତେବେ ଯେତେ ଅଧିକ ସମୟ ହେଉଛି ଛାତ୍ରଛାତ୍ରୀମାନଙ୍କ ଆନ୍ଦୋଳନ ସେତେ ତୀବ୍ର ହେଉଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଏହି ଘଟଣାରେ କଲେଜର ଅନ୍ତିମ ବର୍ଷର ଛାତ୍ରଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ଛାତ୍ରୀମାନଙ୍କ କହିବାନୁସାରେ, ହିଡେନ୍‌ କ୍ୟାମେରା ଜରିଆରେ ୩୦୦ରୁ ଅଧିକ ଭିଡିଓ ରେକର୍ଡ ହୋଇଛି ଓ ତାହା ବାଳକ ହଷ୍ଟେଲ୍‌ରେ ଘୂରି ବୁଲୁଛି।

ଗୁଦଲାଭାଲେରୁ କଲେଜ ଅଫ୍ ଇଞ୍ଜିନିୟରିଂ କ୍ୟାମ୍ପସ୍ ହଷ୍ଟେଲ ଭିତରେ ରଖାଯାଇଥିବା ଏହି କ୍ୟାମେରାକୁ ପାଇବା ପରେ ଛାତ୍ରଛାତ୍ରୀମାନେ ଗୁରୁବାର ରାତିରୁ ବିକ୍ଷୋଭ ଆରମ୍ଭ କରିଛନ୍ତି। କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା ଗୋପନୀୟତା ନେଇ ଏବେ ଚିନ୍ତା ଉପୁଜିଛି।

“ଆମେ ନ୍ୟାୟ ଚାହୁଁଛୁ” ପରି ସ୍ଲୋଗାନ ଦେଇ ଶହ ଶହ ଛାତ୍ର କଲେଜରେ ଏକାଠି ହୋଇ ହିଡେନ୍‌ କ୍ୟାମେରା ପଛରେ ଥିବା ଏବଂ ଭିଡିଓ ପ୍ରସାରଣରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *