ଭୁବନେଶ୍ବର: ଓଡ଼ିଶାର ଅଗ୍ନିବୀରଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। କାରଗିଲ ବିଜୟ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ରାଜ୍ୟ ସରକାର ଓଡିଶାର ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡିଶାର ଯେଉଁ ଅଗ୍ନିବୀରମାନେ ସେନାବାହିନୀରେ ଭର୍ତ୍ତି ହୋଇ ନଥିବେ ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ଯାଏଁ ସଂରକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ପୂର୍ବରୁ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ସଂରକ୍ଷଣ ନୁହେଁ। ବରଂ ସେମାନଙ୍କ ପାଇଁ ବୟସ ସୀମା ମଧ୍ୟ ୫ ବର୍ଷ କୋହଳ କରାଯିବ। ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ। ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି। ଅଗ୍ନିବୀର୍ ଯୋଜନା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ଯୋଜନା। ଏହି ଯୋଜନା ଦେଶର ଯୁବ ସମାଜକୁ ଦକ୍ଷ, ସାହସୀ ଓ ଯୋଗ୍ୟ କରିବାରେ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।