
ସେ ଆଉ ମଧ୍ୟ କହିଛନ୍ତି ବାଚସ୍ପତିଙ୍କ ଏଭଳି କୌଣସି ନିର୍ଦ୍ଦେଶ ନଥିବା ମଧ୍ୟ ପୋଲିସ କହିଥିଲେ । ପୋଲିସ ଲଗାଇ ମାଡ଼ ମରାଗଲା, ଉଠାଇ ନିଆଗଲା । ଯାହା ଜଣାପଡୁଛି ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନାହିଁ । ଏଠି ଏକଛତ୍ରବାଦ ଶାସନ ଚାଲିଛି । ତେଣୁ ଏହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି । ଏହା ଗଣତନ୍ତ୍ରର ହତ୍ୟା, ଉଚିତ୍ ଜବାବ ଦିଆଯିବ ।
ସୂଚନା ଯୋଗ୍ୟ; ଆଜି ବିଧାନସଭା ପରିସରରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେଡ଼ି-କଂଗ୍ରେସ ଅଲଗା ଅଲଗା ଥିବା ନାରା ଦେଉଥିବାବେଳେ ବିଧାନସଭାରେ କିନ୍ତୁ ବିଜେପି ସରକାର ବିରୋଧରେ ଏକ ସୂତ୍ର ଆପଣାଇଛନ୍ତି । ନିଲମ୍ବନ ପ୍ରତିବାଦରେ କଂଗ୍ରେସ ବିଧାୟକ, ବରିଷ୍ଠ ନେତୃବୃନ୍ଦ ଏବଂ କର୍ମୀମାନେ ବିଧାନସଭାର ୩ ନମ୍ବର ଗେଟ୍ ଦେଇ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିବାକୁ ଉଦ୍ୟମ କରିଥିଲା । ସେପଟେ ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ବିଜେଡ଼ି ସଦସ୍ୟମାନେ ସରକାରୀ ଚାକିରୀରେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବା ଦାବିରେ ନାରାବାଜି କରିବା ସହିତ କକ୍ଷ ତ୍ୟାଗ କରିଥିଲା । ଏହା ପରେ ସମସ୍ତେ ଗେଟ୍ ପାଖକୁ ଆସି ବ୍ୟାରିକେଡ୍ ଭାଙ୍ଗି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ । ଗୋଟିଏ ପଟେ କଂଗ୍ରେସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପଟେ ବିଜେଡ଼ି ବାହାରକୁ ଆସିବାକୁ ଚେଷ୍ଟା କରିଥିଲା । କିଛି ସମୟ ପାଇଁ ବିରୋଧୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
