sulagna speaks: “ଭାଙ୍ଗିପଡ଼ି ପଳାୟନପନ୍ଥୀ ସାଜିଲେ କେମିତି ଶାସ୍ତି ପାଇବେ ନରରାକ୍ଷସମାନେ ? କିଏ ଦଣ୍ଡ ଦେବ ସେମାନଙ୍କୁ ? ନିଜ ପାଇଁ ଲଢ଼େଇ କରିବାକୁ ପଡ଼େ ଏ ସମାଜରେ ! ନ୍ୟାୟ ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼େ ଆମକୁ । ନ ହେଲେ କେହି ବି ତାଙ୍କ ନିଜ ଆଡୁ ଆସି ନ୍ୟାୟ ଦେଇଯିବେ ନାହିଁ ଆମକୁ ।”
ନ୍ୟାୟ ପାଇଁ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୌମ୍ୟାଶ୍ରୀ ଦୀର୍ଘ ୩ଦିନ କାଳ ଛଟପଟ ହୋଇ ଶେଷରେ ମୃତ୍ୟୁବରଣ କରିଛନ୍ତି। ବଞ୍ଚିବାକୁ ତ ଦେଲନି, ଅନ୍ତତଃ ତାଙ୍କ ବଳିଦାନ ବ୍ୟର୍ଥ ନଯାଉ.. ଆଉ କେଉଁ ଝିଅ ଏମିତି ଦୁର୍ଦ୍ଦିନର ଶିକାର ନ ହେଉ.. ସାଲ୍ୟୁଟ ଭଉଣୀ ତୁମ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସଂଘର୍ଷ ପାଇଁ ! ସବୁ ନାରୀଙ୍କ ମଧ୍ୟରେ ସୌମ୍ୟାଶ୍ରୀ ଅମର ରୁହନ୍ତୁ।
ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଅଧ୍ୟାପକ ସମୀର କୁମାର ସାହୁ ଯୌନ ଶୋଷଣ ଉଦ୍ଦେଶ୍ୟ ରଖି ତାଙ୍କୁ ବିଭିନ୍ନ ମାର୍ଗରେ ମାନସିକ ନିର୍ଯ୍ୟାତନା ଦେବା ଏବଂ ନ୍ୟାୟ ପାଇଁ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଜଣାଇ ନିରାଶ ହେବା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କଠାରୁ ନେଇ ଉଚ୍ଚଶିକ୍ଷା ବିଭାଗ, ବିଧାୟକ, ସାଂସଦ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଟ୍ୱିଟ ମାଧ୍ୟମରେ ସେଥିନେଇ ଅବଗତ କରିବା ସତ୍ତ୍ୱେ କାହା ପାଖରୁ କୌଣସି ଆଶ୍ବସ୍ତି ବାର୍ତ୍ତା ନ ପାଇବା ଯୋଗୁଁ ହିଁ ସେ ମାନସିକ ଅବସାଦ ମଧ୍ୟକୁ ଠେଲି ହୋଇ ଯାଇଥିଲେ ! ଯେଉଁଥିପାଇଁ ଗତ ଶନିବାର ଦିନ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଚରମ ନିଷ୍ପତ୍ତି ନେଇ ସେ ନିଜ ଶରୀରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମାହୁତି ଦେବାକୁ ବିବଶ ହୋଇ ପଡ଼ିଥିଲେ ! ଗୁରୁତର ଆହତ ଅବସ୍ଥାରେ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଏବଂ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ତତ୍ୱାବଧାନରେ ତାଙ୍କ ପାଇଁ ସର୍ବାଧିକ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲେ ମଧ୍ୟ ଡାକ୍ତରଙ୍କ କହିବା ଅନୁସାରେ ଯେହେତୁ ତାଙ୍କ ଶରୀରର ପ୍ରାୟ ପଞ୍ଚାନବେ ପ୍ରତିଶତ ଅଂଶ ଜଳି ଯାଇଥିଲା ତେଣୁ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ! ଏଭଳି ପରିସ୍ଥିତିରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ନିହାତି ଭାବେ ସମସ୍ତଙ୍କୁ ତ ମର୍ମାହତ କରିଛି ଅନ୍ୟପଟେ ସରକାରୀ ବ୍ୟବସ୍ଥାର ଉଦାସୀନତାକୁ ମଧ୍ୟ ସ୍ୱାଭାବିକ ଭାବେ ତାତ୍ସଲ୍ୟ କରୁଛି ! ସେ ଟ୍ୱିଟ ଯୋଗେ କରିଥିବା ଗୁହାରି ଦୃଷ୍ଟି ଆଢୁଆଳରେ ରହିଯିବା ଏବଂ ଜୁଲାଇ ପହିଲାରେ ତାଙ୍କ ଅଭିଯୋଗ ଗଣମାଧ୍ୟମ ଜରିଆରେ ସମସ୍ତଙ୍କ ସାମ୍ନାକୁ ଆସିବା ସତ୍ୱେ ଯେଉଁମାନେ ତାଙ୍କ ସହିତ ଠିଆ ହୋଇ ନ ଥିଲେ; ସେ ଆତ୍ମାହୁତି ଉଦ୍ୟମ କରି ଚେତା ହରାଇବା ପରେ ତାଙ୍କ ପ୍ରତି ସମ୍ବେଦନଶୀଳତା ପ୍ରକଟ କରିବା କିମ୍ବା ତାଙ୍କ ମୃତ୍ୟୁ ପରେ ସମବେଦନା ଦେଖାଇବାର ନୈତିକତା ଆସୁଛି କେମିତି ? ସୌମ୍ୟାଶ୍ରୀଙ୍କ ପୋଡ଼ା ଶବ ଉପରେ କେହି ବି ଏବେ ରାଜନୈତିକ ରୁଟି ସେକିବାର ହୀନ ଉଦ୍ୟମ ନ କରନ୍ତୁ ! ତେବେ ଏହି ଅଭାବନୀୟ ଘଟଣାକୁ ନେଇ ହୋଇଥିବା ମାମଲାକୁ ରାଜ୍ୟ ସରକାର ଫାଷ୍ଟଟ୍ରାକ୍ କୋର୍ଟ ଦ୍ୱାରା ଏକ ମାସ ମଧ୍ୟରେ ତ୍ୱରିତ ବିଚରା ପ୍ରକ୍ରିୟା ଶେଷ କରି ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ।

