ବାଲେଶ୍ବର: ସାମ୍ନାକୁ ଆସିଛି ସାଂଘାତିକ ସତ। ମାଫିଆଙ୍କ ନଜରବନ୍ଦିରେ ସରକାରୀ ବାବୁ। ବେଧଡ଼କ ଲୁଟ୍ ହେଉଛି ପ୍ରାକୃତିକ ସମ୍ପଦ। ଖଣି ଅଧିକାରୀଙ୍କଠାରୁ ଆରମ୍ଭ କରି ଥାନା ଅଧିକାରୀ ଓ ତହସିଲଦାର; ସମସ୍ତେ ସତେ ଯେମିତି ଅସହାୟ ପାଲଟି ଯାଇଛନ୍ତି। ଓଡ଼ିଶା ସୀମାନ୍ତ ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ସ୍ଥିତି।
ବାଲେଶ୍ବର ଜିଲ୍ଲା ଅଧୀନ ସୋର ବ୍ଲକ୍ରେ ଅଛି ଖଞ୍ଜାମାହାଲ ପାହାଡ଼। ନୀଳଗିରିରେ ବାଘମରା, ବେଗୁନିଆ, ଖଣ୍ଡିଆହୁଡ଼ି ଓ କାଠଗୋଛି ଏବଂ ଖଇରାରେ
ଶାରୀଶୁଆ ପାହାଡ଼ ରହିଛି। ସେହିପରି ଜଳେଶ୍ବର ଓ ଭୋଗରାଇ ତହସିଲ ଦେଇ ପ୍ରବାହିତ ହୋଇଛି ସୁବର୍ଣ୍ଣରେଖା ନଦୀ। ଦେଖାଯାଉଛି; ପାହାଡ଼ଗୁଡ଼ିକରୁ ବେଧଡ଼କ ପଥର ଚୋରା ଚାଲାଣ କରାଯାଉଛି। ନଦୀରୁ ମନଇଚ୍ଛା ବେଆଇନ ବାଲି ଉତ୍ତୋଳନ ହେଉଛି। ଜିଲ୍ଲା ଅଧୀନ ସମସ୍ତ ୧୨ଟି ଯାକ ବ୍ଲକ୍ରେ ମୋରମ୍ ଓ ମାଟି ମଧ୍ୟ ଚୋରି ଚାଲିଛି। ଏକଥା ଖଣି ଅଧିକାରୀଙ୍କଠାରୁ ଆରମ୍ଭ କରି ସଂପୃକ୍ତ ଥାନା ଅଧିକାରୀ ଓ ତହସିଲଦାରମାନେ ଜାଣୁଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ; ଚୋରା କାରବାର ଉପରେ ରୋକ୍ ଲାଗି ପାରୁନି। କାରଣ ସରକାରୀ ବାବୁମାନେ ଏବେ ନଜରବନ୍ଦିରେ। ଏକଥା ସେମାନଙ୍କୁ ଭଲଭାବେ ଜଣା। ହେଲେ ବଡ଼ ପଦକ୍ଷେପ ନେଇ ପାରୁନାହାନ୍ତି। ଅସହାୟତା ପ୍ରକାଶ କରିବା ଛଡ଼ା ବାବୁମାନଙ୍କ ପାଖରେ ଆଉ କିଛି ଉପାୟ ନାହିଁ।