ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧୀ‌ରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଗୁରୁବାର ପୂର୍ବାହ୍ନ ବେଳକୁ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ଏବଂ ବର୍ଷା ପ୍ରଭାବ କମିବ। ତେବେ ସକ୍ରିୟ ଚିହ୍ନତ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି। ଆଜି ସକାଳ ସାଢ଼େ ୮ଟାରୁ ଅପରାହ୍ଣ ସାଢ଼େ ୫ଟା ମଧ୍ୟରେ ଭବାନୀପାଟଣାରେ ୬୦.୪ ମିମି ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ୨୪, କଟକରେ ୨୦.୬, ଭୁବନେଶ୍ବରରେ ୧୮.୮, ନୟାଗଡ଼ରେ ୧୬ ମିମି ବର୍ଷା ହୋଇଛି। ଭବାନୀପାଟଣାରେ ହୋଇଥିବା ବର୍ଷା ଏକ ରେକର୍ଡ ବୋଲି କୁହାଯାଉଛି। ଇତିହାସ ଦେଖିଲେ ୨୦୧୮ ଡିସେମ୍ବରରେ ଏଠାରେ ସର୍ବାଧିକ ୪୪ ମିମି ବର୍ଷା ହୋଇଥିଲା। ସେହିପରି ଚଳିତ ମାସରେ ଭୁବନେଶ୍ବରରେ ରେକର୍ଡ କରାଯାଇଥିବା ବର୍ଷା ପରିମାଣ ଏକ ରେକର୍ଡ ବୋଲି କୁହାଯାଉଛି। ଯଦି ଦିନକୁ ହିସାବକୁ ନିଆଯାଏ ତାହା ହେଲେ ୧୯୭୮ ମସିହା ଡିସେମ୍ବର ୩ରେ ରାଜଧାନୀରେ ସର୍ବାଧିକ ୬୨.୩ ମିମି ବର୍ଷା ହୋଇଥିଲା। ଏହା ତଳକୁ ଚଳିତବର୍ଷ ଡିସେମ୍ବର ୨୧ରେ ୫୧.୬ ମିମି, ୧୯୭୩ ଡିସେମ୍ବର ୯ରେ ୩୪.୬ ମିମି, ୨୦୧୭ ଡିସେମ୍ବର ୯ରେ ୨୮.୫ ମିମି, ୨୦୨୩ ଡିସେମ୍ବର ୭ରେ ୨୨.୧ ମିମି ଓ ଆଜି ଅର୍ଥାତ୍‌ ୨୫ ତାରିଖ ସକାଳ ସାଢ଼େ ୮ଟାରୁ ଅପରାହ୍ଣ ସାଢ଼େ ୫ଟା ମଧ୍ୟରେ ୧୮.୮ ମିମି ବର୍ଷା ହୋଇଛି। ରାତି ୮ଟା ବେଳକୁ ବର୍ଷା ଲାଗିରହିଥିବାରୁ ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *