ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ। ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ଦିନ ପ୍ରାୟ ୧୨ଟା ୩୦ରେ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଦୁଆର ଚାବି ଖୋଲାଯିବ । ଏଏସ୍‌ଆଇ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ତଦାରଖ କମିଟି କର୍ମକର୍ତ୍ତା ଭିତରେ ପ୍ରବେଶ କରିବେ। ଭିତର ଓ ବାହାର ରତ୍ନଭଣ୍ଡାରରେ ଭାରା ବନ୍ଧାଯିବ। ଏଥିପାଇଁ ୩୦ କୁଶଳୀ ଶ୍ରମିକଙ୍କୁ ନିୟୋଜିତ କରାଯିବ । ରତ୍ନଭଣ୍ଡାର କାନ୍ଥ, ଛାତ ଏବଂ ଚଟାଣରୁ ପଲସ୍ତରା ଛଡ଼ାଯିବ । ନୂତନ ପଲସ୍ତରା କରାଯିବା ସହ ପୁରୁଣା ଦୁଆର ବନ୍ଧ ଏବଂ କବାଟ ବଦଳା ଯିବ। ପ୍ରଥମେ ଭିତର ରତ୍ନଭଣ୍ଡାର ଏବଂ ପରେ ବାହାର ରତ୍ନଭଣ୍ଡାର ମରାମତି ହେବ। ତିନିମାସ ମଧ୍ୟରେ ରତ୍ନଭଣ୍ଡାର ମରାମତି ଶେଷ କରିବାକୁ ସ୍ଥିର କରାଯାଇଛି। ମରାମତି ସମୟରେ ଶ୍ରଦ୍ଧାଳୁ ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଜଗମୋହନରେ ସ୍ବତନ୍ତ୍ର ଭାବେ ବ୍ୟାରିକେଡ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବରିଷ୍ଠ ଅଧିକାରୀମାନେ ରତ୍ନଭଣ୍ଡାର ମରାମତି ତଦାରଖ କରିବେ। ବିଶେଷ ନୀତିକାନ୍ତି ଥିବା ଦିନଗୁଡ଼ିକରେ ମରାମତି କାର୍ଯ୍ୟ ବନ୍ଦ ରହିବ। ଦିନ ୧ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମରାମତି ପାଇଁ ସ୍ଥିର ହୋଇଛି। ରତ୍ନଭଣ୍ଡାର କାନ୍ଥରେ ଫାଟ ଥିବା ଲେଜର ସ୍କାନିଂ ରିପୋର୍ଟରେ ଜଣାପଡ଼ିଛି, ସେସବୁ ସ୍ଥାନ ମରାମତି ହେବ । ରତ୍ନଭଣ୍ଡାର କବାଟ ଗୁଡ଼ିକ ରୁପା ଛାଉଣି କରାଯିବା ପ୍ରସ୍ତାବ ରହିଛି। ଛାତ ତଳେ ଥିବା ପୁରୁଣା ଲୁହା ଓ କାଠ ବିମ୍‌ ଗୁଡିକୁ ବାହାର କରାଯାଇ ଉନ୍ନତମାନର ଷ୍ଟେନ୍‌ଲେସ ଷ୍ଟିଲ୍‌ ବିମ୍‌ ଲଗାଯିବ । ରତ୍ନଭଣ୍ଡାର ମରାମତି ଶେଷ ହେବା ପରେ ଅସ୍ଥାୟୀ ଭଣ୍ଡାର ଘରେ ଥିବା ମହାପ୍ରଭୁଙ୍କ ମୂଲ୍ୟବାନ ରତ୍ନ ଅଳଙ୍କାର ଗୁଡ଼ିକୁ ସେଠାକୁ ସ୍ଥାନାନ୍ତର କରାଯିବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରତ୍ନ ଅଳଙ୍କାର ଗୁଡ଼ିକର ଗଣତି ମଣତି, ମୂଲ୍ୟାଙ୍କନ ଏବଂ ଡିଜିଟାଇଜେସନ୍ କରାଯିବ।

Leave a Reply

Your email address will not be published. Required fields are marked *