ଭଦ୍ରକ ଜିଲ୍ଲାର ଧାମରା ନିକଟରେ ମାଡ଼ ହୋଇପାରେ ବାତ୍ୟା ‘ଦାନା’। ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ରହିବ। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିଥିବ। ଅତିରୁ ଅତିପ୍ରବଳ ବର୍ଷା ହେଉଥିବ। ବେଳେବେଳେ ପବନର ବେଗ ୧୨୦ କିମି ଛୁଇଁପାରେ। ୨୪ ତାରିଖ ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ୍ ସମୟ ରହିବ। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ ଏବଂ ୨୫ ତାରିଖ ଭୋର ବେଳକୁ ଗଭୀର ଅବପାତରେ ପରିଣତ ହୋଇସାରିଥିବ। ତେବେ ପବନ ଅପେକ୍ଷା ବର୍ଷାର ପ୍ରଭାବ ଓଡ଼ିଶା ଉପରେ ଅଧିକ ରହିବ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗିତ୍ସିଂହପୁର ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ବେଳେ କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ପୁରୀରେ ଅତିପ୍ରବଳ ବର୍ଷା ହେବ। ପାଖାପାଖି ୧୯ଟି ଜିଲ୍ଲାରେ ବର୍ଷା ପବନର ତାଣ୍ଡବ ଦେଖିବାକୁ ମିଳିବ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଥିବା ସାମୁଦ୍ରିକ ଝଡ଼ ‘ଦାନା’କୁ ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମଧ୍ୟ ଅନୁରୂପ ଆକଳନ କରି କହିଛି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳୁ ଅବପାତରେ ପରିଣତ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ତାହା ଗଭୀର ଅବପାତ ରୂପ ନେବା ସହ ୬ ଘଣ୍ଟା ହେଲା ୭ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ସନ୍ଧ୍ୟା ସାଢ଼େ ୫ଟା ବେଳକୁ ପାରାଦୀପଠାରୁ ୬୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗର ସାଗର ଦ୍ୱୀପଠାରୁ ୭୪୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଓ ବାଂଲାଦେଶର ଖେପୁପଡ଼ାଠାରୁ ୭୧୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ବୁଧବାର ସକାଳୁ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। ଏହାପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେବ। ସେହଦିନ ରାତି ନ ହେଲେ ୨୫ ତାରିଖ ଭୋର ସମୟରେ ଓଡ଼ିଶାର ପୁରୀଠାରୁ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ। ବାତ୍ୟାଟି କେଉଁଠି ମାଡ଼ ହେବ ସେନେଇ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆଙ୍କି ନାହିଁ। ବରଂ ତିନି ଦିନ ପରି ଆଜି ମଧ୍ୟ ପୁରୀଠାରୁ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୂଳରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିବ। ସେହିପରି ମୟୂରଭଞ୍ଜରେ ୮୦ରୁ ୯୦ କିମି, ପୁରୀରେ ୬୦ରୁ ୮୦ କିମି, କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ଭୁବନେଶ୍ବର, କେନ୍ଦୁଝରରେ ୬୦ରୁ ୭୦ କିମି, ସୁନ୍ଦରଗଡ଼ ଓ ଦକ୍ଷିଣ ଝାଡ଼ଖଣ୍ଡରେ ୫୦ରୁ ୬୦ କିମି, ଅନୁଗୁଳ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ଦେବଗଡ଼, ସମ୍ବଲପୁର ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ତେବେ ୨୩ ତାରିଖ ରାତିଠାରୁ ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ। ୨୪ ତାରିଖ ସକାଳ ସାଢ଼େ ୮ଟାରୁ ୨୫ ତାରିଖ ସାଢ଼େ ୮ଟା ମଧ୍ୟରେ ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲ୍ଲାରେ ଅତିପ୍ରବଳ ବର୍ଷା ଅର୍ଥାତ୍ ୨୦ ସେମିରୁ ଅଧିକ ହୋଇପାରେ। କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଅର୍ଥାତ୍ ୭ରୁ ୨୦ ସେମି ବର୍ଷା ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଅଧିକାଂଶ ସ୍ଥାନରେ ୨୦ ସେମିରୁ ଅଧିକ ଏବଂ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲ୍ଲାରେ ୭ରୁ ୨୦ ସେମି ବର୍ଷା ହୋଇପାରେ। ବର୍ଷାକୁ ଦୃଷ୍ଟିରେ ରଖି ୨୪ ତାରିଖରେ ୭ ଓ ୨୫ ତାରିଖରେ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।
ସମ୍ଭାବ୍ୟ ବର୍ଷା ପବନ ଯୋଗୁଁ ରାସ୍ତାରେ ଜଳବନ୍ଦି, ତଳିଆ ଅଞ୍ଚଳରେ ପାଣି ଜମିବା, ସହରାଞ୍ଚଳରେ ପାଣି ସମସ୍ୟା ସୃଷ୍ଟି ହୋଇପାରେ। ଉପକୂଳରେ ଅଧିକ ବର୍ଷା ହେବାକୁ ଥିବାବେଳେ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରଭାବ ରହିବ। ସହରରେ ଟ୍ରାଫିକ୍ ସମସ୍ୟା, କଚା ରାସ୍ତା ଓ ବିପଦସଙ୍କୁଳ କୋଠା ପ୍ରଭାବିତ ହେବା, ମାଟି ଅତଡ଼ା ଖସିବା ପରି ସମସ୍ୟା ଉପୁଜିପାରେ। ପବନ ହେବାକୁ ଥିବାରୁ ଉଦ୍ୟାନ କୃଷି ଓ ଧାନ ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ପରାମର୍ଶ ମଧ୍ୟ ଦିଆଯାଇଛି। ରେଳ ଓ ସଡ଼କ ପରିବହନକୁ ନିୟନ୍ତ୍ରଣ କରିବା, ଘରୁ ବାହାରିବା ପୂର୍ବରୁ ପାଣିପାଗ ସ୍ଥିତି ଦେଖିବା ସହ ଟ୍ରାଫିକ୍ ଯାଞ୍ଚ, ଯଦି କୌଣସି ଟ୍ରାଫିକ୍ କଟକଣା ଲାଗୁ ହୋଇଥିବ ତାହାକୁ ପାଳନ କରିବା, ଜଳବନ୍ଦି ସମସ୍ୟା ସୃଷ୍ଟି ହେଉଥିବା ଅଞ୍ଚଳଠାରୁ ଦୂରେଇ ରହିବା ଏବଂ ବିପଦସଙ୍କୁଳ କୋଠା ଘରେ ନ ରହିବାକୁ କୁହାଯାଇଛି।
