ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ସଫଳତାରେ ଖୁସିବ୍ୟକ୍ତ କରି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଅନେକ ବିଧାୟକ ବିମାନବନ୍ଦରରେ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଗଣମାଧ୍ୟମକୁ ଦିଲ୍ଲୀ ଗସ୍ତ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଯୋଗଦେଇ ମୁଁ ଓଡିଶାର ବିକାଶ ପାଇଁ ଯାହା ଗୁରୁତ୍ବପୂର୍ଣ୍ଣ ସେ ସଂପର୍କରେ ଦାବି ଉପସ୍ଥାପିତ କରିଛି। ୨୦୩୬ ପାଇଁ ଆସନ୍ତା ୧୨ ବର୍ଷ ମଧ୍ୟରୁ ପ୍ରଥମ ୫ ବର୍ଷରେ ଆମ ପାଇଁ ଗୁରୁଦାୟିତ୍ବ ରହିଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାରେ ଓଡିଶା ପ୍ରଥମ ଗୁରୁତ୍ବ ବହନ କରୁଛି। ଡବଲ ଇଞ୍ଜିନର ଯେଉଁ ବଗି କଥା କୁହାଯାଉଛି, ସେଥିରେ ମଧ୍ୟ ଓଡିଶା ହେବ ପ୍ରଥମ ବଗି। ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ବ ଦେଉଛନ୍ତି । ତେଣୁ ନୀତି ଆୟୋଗ ବୈଠକରେ ମୁଁ ଯେଉଁସବୁ ପ୍ରସ୍ତାବ ଦେଇଛି, ସେଗୁଡିକ କାର୍ଯ୍ୟକାରୀ ହେବ ଏବଂ ଆଗାମୀ ୫ ବର୍ଷରେ ଓଡିଶାରେ ନିଶ୍ଚିନ୍ତ ଭାବେ ବିରାଟ ପରିବର୍ତ୍ତନ ଆସିବ। ଓଡିଶାର ବିକାଶ ପାଇଁ ୪୮୦ କିଲୋମିଟର ବେଳାଭୂମିର ବିକାଶ, ବନ୍ଦରଭିତ୍ତିକ ଶିଳ୍ପ, ପର୍ଯ୍ୟଟନର ବିକାଶ, ଆଇଟି କ୍ଷେତ୍ରର ବିକାଶ, ଜନଜାତିଙ୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଳୁ ସମସ୍ୟା ଉପରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ମୁଁ ଚିଠି ଲେଖିବାରେ ବିଶ୍ବାସ କରେ ନାହିଁ। ଦିଲ୍ଲୀରେ ମୁଁ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛି। ସ୍ୱାଭାବିକ ହେବା ଆରମ୍ଭ କରିଛି । ଖୁବଶୀଘ୍ର ସମାଧାନ ହେବ ବୋଲି କହିଥିଲେ ।
ପୋଲାଭରମ ଉପରେ ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ନୀତି ଆୟୋଗ ବୈଠକ ମଧ୍ୟରେ ମୁଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ଆଲୋଚନା କରିଛି । ପୋଲାଭରମ ଉପରେ ଆମର ଯାହାସବୁ ଦାବି ରହିଛି, ସେ କଥା ଆମେ ଦୋହରାଇଥିଲୁ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ମୁଁ ପ୍ରସ୍ତାବ ଦେଇଛି ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ସେ ପ୍ରସ୍ତାବରେ ରାଜି ଅଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଦିଲ୍ଲୀ ଗସ୍ତ ସମୟରେ ସେ ଓଡିଶା ଭବନରେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ଓଡିଶା କ୍ୟାଡରର ଅଧିକାରୀ ଏବଂ ଅନ୍ୟ କ୍ୟାଡର ଓ ରାଜ୍ୟରେ କାମ କରୁଥିବା ଓଡିଆ ଅଧିକାରୀଙ୍କ ସହିତ ଏକ ବିକଶିତ ଓଡିଶା ଗଠନ ସଂପର୍କରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଟିମ୍ ଇଣ୍ଡିଆ ପରି ଏକ ଟିମ୍ ଓଡିଶା ଗଠନ କରି, ଓଡିଶାର ବିକାଶ ପାଇଁ ସମସ୍ତେ ଓଡିଶାକୁ ସାହାଯ୍ୟ କରିବାକୁ ମୁଁ ଅନୁରୋଧ କରିଛି । କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶାର ପ୍ରସ୍ତାବଗୁଡିକର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ ସେମାନେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।