ଭୁବନେଶ୍ବର: ଭୁବନେଶ୍ଵରରେ ଚାଲିଥିବା ଡିଜିପି ସମ୍ମିଳନୀର ଦ୍ଵିତୀୟ ଦିନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । ଲୋକସେବା ଭବନରେ ଚାଲିଥିବା ଏହି ସମ୍ମିଳନୀରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ବହୁ ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେଉଛି । ସବୁଠୁ ବଡ କଥା ହେଲା ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ଗୁରୁତ୍ଵ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ପ୍ରଥମ ଥର ପାଇଁ ଓଡିଶାରେ ଆୟୋଜିତ ହୋଇଥିବା ଡିଜିପି ଓ ଆଇଜିପି ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ସାଇବର ଥ୍ରେଟଠାରୁ ଆରମ୍ଭ କରି ମାଓବାଦୀ ଦମନ ରଣନୀତି ନେଇ ଆଲୋଚନା ହୋଇଛି । ଆଭ୍ୟନ୍ତରୀଣ ସୁରକ୍ଷା ସହ ଅନ୍ତର୍ଘାତୀ ଆକ୍ରମଣକୁ ପ୍ରତିହତ କରିବାକୁ ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା ଓ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ ନେଇ ମାନସ ମନ୍ଥନ । ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ବିରୋଧୀ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରୀତାକୁ ଗୁରୁତ୍ଵ ଦିଆଯାଇଛି । ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି
