Oplus_131072

ନୂଆଦିଲ୍ଲୀ,୧୧ା୧୧(ପି.ଟି.): ବହୁ ଗୁରୁତ୍ୱପୂର୍ଣ୍ଣ ସୁପ୍ରିମକୋର୍ଟ ରାୟ ସହ ଜଡ଼ିତ ଥିବା ସର୍ବବରିଷ୍ଠ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ସୋମବାର ଭାରତର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ସୋମବାର ପୂର୍ବାହ୍ନ ୧୦ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ ପାଠ କରାଇବେ। ବିଦାୟୀ ସିଜେଆଇ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ରବିବାର ଅବସର ଗ୍ରହଣ କରିଥିବାବେଳେ ଜଷ୍ଟିସ୍‌ ଖାନ୍ନା ତାଙ୍କ ସ୍ଥାନ ନେବେ। ସେ ଏହି ପଦବୀରେ ୨୦୨୫ ମେ’ ୧୩ ପର୍ଯ୍ୟନ୍ତ ରହିବେ। ଅକ୍ଟୋବର ୧୬ରେ ସିଜେଆଇ ଚନ୍ଦ୍ରଚୂଡ଼ ପରବର୍ତ୍ତୀ ସିଜେଆଇ ଭାବେ ଜଷ୍ଟିସ୍‌ ଖାନ୍‌ଙ୍କ ନାମ ସୁପାରିସ କରିବା ପରେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ୨୪ରେ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଗତ ଶୁକ୍ରବାର ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କର ସର୍ବୋଚ୍ଚ ଅଦାଲତରେ ଶେଷଦିନ ଥିଲା। ତାଙ୍କୁ ଅନ୍ୟ ବିଚାରପତି, ଆଇନଜୀବୀ ଏବଂ ସୁପ୍ରିମକୋର୍ଟ ତଥା ହାଇକୋର୍ଟର କର୍ମଚାରୀମାନେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ୨୦୧୯ ଜାନୁଆରୀରୁ ଜଷ୍ଟିସ୍‌ ଖାନ୍ନା ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଆସୁଥିବାବେଳେ ଇଭିଏମ୍‌ଗୁଡ଼ିକର ପବିତ୍ରତାକୁ କାଏମ ରଖିବା ସହ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ ରଦ୍ଦ କରିବା, ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ କାଏମ ରଖିବା ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ।

Leave a Reply

Your email address will not be published. Required fields are marked *