ଭୁବନେଶ୍ବର: ବିଜେଡିରୁ ପୁଣି ଜଣେ ଚର୍ଚ୍ଚିତ ନେତା ବିଦାୟ ନେଇଛନ୍ତି। ବିଜୁ ଜନତା ଦଳ (ବିଜେଡି)ର ସଭ୍ୟ ସଂଗ୍ରହ ଅଭିଯାନ ଜାରି ଥିବା ବେଳେ ଦଳରୁ ନେତା ମୁହଁ ଫେରାଉଛନ୍ତି। କଟକ ଜିଲ୍ଲାରୁ ଦଳର ଜଣେ ଜଣାଶୁଣା ନେତା ଶଙ୍ଖ ଛାଡ଼ି ଦେଇଛନ୍ତି। ସାଧାରଣ ନିର୍ବାଚନ-୨୦୨୪ରେ କଟକ-ବାରବାଟୀ ଆସନରୁ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ଗୁରୁବାର ଦଳ ଛାଡ଼ିଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ବ‌ିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ତେବେ ପ୍ରକାଶ ବେହରାଙ୍କ ଆଗାମୀ କାର୍ଯ୍ୟକ୍ରମ କ’ଣ ରହିବ ଏନେଇ ଜଣାପଡ଼ି ନାହିଁ। ସମ୍ଭବତଃ ଏବାବଦରେ ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିପାରନ୍ତି।

ଗତ ସାଧାରଣ ନିର୍ବାଚନରେ ପୂର୍ବରୁ ବିଜେପି ଛାଡ଼ି ପ୍ରକାଶ ବେହେରା ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ତାଙ୍କୁ ବାରବାଟୀ-କଟକ ଆସନରୁ ପ୍ରାର୍ଥୀ କରାଇଥିଲା। ଏଠାରେ ପ୍ରାର୍ଥୀ ହେଲା ପରେ ସେ ଖୁସି ବ୍ୟକ୍ତ କରିଥିଲେ। ଏକଦା ସେ କହିଥିଲେ, ମୋ ପାଇଁ କଟକ ବାରବାଟୀ ନୂଆ ନୁହେଁ । ଗତ ୨୦ ବର୍ଷ ହେବ ମୁଁ ଏଠାରେ ରାଜନୀତି କରୁଛି। ବିଭିନ୍ନ ରାଜନୈତିକ ଦାୟିତ୍ୱ ଓ ପଦପଦବିରେ ଏଠାରେ ଥିଲି। କିନ୍ତୁ ସିଧାସଳଖ ଭାବେ କଟକ ବାରବାଟୀରୁ ନିର୍ବାଚନ ଲଢ଼ି ନାହିଁ। କଟକରେ ସଂଗଠନ ରହିଛି। ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଏକ ସମ୍ମାନସ୍ପଦ ସ୍ଥାନରେ ପ୍ରାର୍ଥୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆଶା ଓ ଆକାଂକ୍ଷା ରଖିଛନ୍ତି, ତାକୁ ପୂରଣ କରିବାକୁ ଚେଷ୍ଟା କରିବି।

ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ସାଧାରଣ ନିର୍ବାଚନ ପୂର୍ବରୁ କଟକ ଜିଲ୍ଲା ବିଜେପି ସଭାପତି ଥିଲେ। ସେ ଗତ ମାର୍ଚ୍ଚ ମାସରେ ତାଙ୍କ ସମର୍ଥକମାନଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ। ଶଙ୍ଖ ଭବନ‌ରେ ଆୟୋଜିତ ମିଶ୍ରଣ ପର୍ବରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଓ କେନ୍ଦ୍ରାପଡ଼ା ବିଜେଡିର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ବିଜେପିରେ ମିଶିବା ପୂର୍ବରୁ ସେ ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଦଳ ତାଙ୍କ ପ୍ରତି ଅବହେଳା କରିଥିବା ଅଭିଯୋଗ କରି ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ। ସେ ଭାଜପାର ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦେଶ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *