ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଥିବା ବେଳେ ସରକାରକୁ ତିନି ମାସ ପୂରିବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳରେ ୧୬ ମନ୍ତ୍ରୀ ଥିବା ବେଳେ ମୋହନଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୨୨ ଛୁଇଁପାରେ ବୋଲି ଆଶା କରାଯାଉଛି । ବିଧାନସଭା ଅଧିବେଶନ ସରିବାର ସପ୍ତାହେ ମଧ୍ୟରେ ନୂଆ ମନ୍ତ୍ରିମଣ୍ଡଳ ଘୋଷଣା ହୋଇପାରେ ବୋଲି ଶୁଣିବାକୁ ମିଳୁଛି। ଏବେ ମୋହନଙ୍କ କ୍ୟାବିନେଟରେ ପଶ୍ଚିମ ଓଡ଼ିଶାରୁ ସିଂହଭାଗ ଥିବା ବେଳେ ଆଗକୁ ମଧ୍ୟ ବିଧାୟକ ଜୟନାରାୟଣ ମିଶ୍ର, ଇରାଷିଶ ଆଚାର୍ଯ୍ୟ ମଧ୍ୟ ସାମିଲ ହୋଇପାରନ୍ତି।
ଗଞ୍ଜାମ ଜିଲ୍ଲାରୁ ମଧ୍ୟ ଆଉ କିଛି ନେତାଙ୍କୁ ସୁଯୋଗ ମିଳିପାରେ। ଖଲ୍ଲିକୋଟରେ ବିଜେଡିରୁ ବିଜେପିରେ ଜିତିଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ମନ୍ତ୍ରୀ ହୋଇପାରନ୍ତି। ସେହିପରି ବାଲେଶ୍ଵର ଜିଲ୍ଲାର ପଦ୍ମଲୋଚନ ପଣ୍ଡା କିମ୍ବା ସନ୍ତୋଷ ଖଟୁଆଙ୍କୁ ବି ସୁଯୋଗ ମିଳିପାରେ। ଯାଜପୁରରେ ବିଜେପି ଅପ୍ରତ୍ୟାଶିତ ଫଳାଫଳ ପାଇଥିବାରୁ ମନ୍ତ୍ରିମଣ୍ଡଳରେ ଅଧିକ ଭାଗ ମିଳିପାରେ ବୋଲି କୁହାଯାଉଛି। ଏହି କ୍ରମରେ ଅମର ନାୟକ, ଆକାଶ ଦାସନାୟକଙ୍କ ପରି ନେତାଙ୍କ ନାଁ ଆଗରେ ରହିଛି। ଭୁବନେଶ୍ୱରରୁ ବାବୁ ସିଂ, କେନ୍ଦ୍ରାପଡ଼ାରୁ ଦୁର୍ଗାପ୍ରସନ୍ନ ନାୟକଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ମନ୍ତ୍ରିମଣ୍ଡଳରେ ଜଣେ ମହିଳାଙ୍କୁ ସ୍ଥାନ ମିଳିଥିବାରୁ ସରକାର ସୀମାରାଣୀ ନାୟକଙ୍କୁ ସାମିଲ କରି ମହିଳା କାର୍ଡ ଖେଳିପାରନ୍ତି ବୋଲି କୁହାଯାଉଛି।
ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ଯେ, ବିଧାନସଭା ଅଧିବେଶନ ପରେ ପରେ ମନ୍ତ୍ରିମଣ୍ଡଳ ନୂଆ ରୂପ ନେଇପାରେ। ବରିଷ୍ଠ ଓ ଅଭିଜ୍ଞତା ଥିବା ନେତାଙ୍କୁ ଏଥର ସୁଯୋଗ ମିଳିପାରେ।