ଭୁବନେଶ୍ବର: ଦରଦାମ୍ ବୃଦ୍ଧିରେ ଆଉଟପାଉଟ ହେଉଥିବା ଖାଉଟି ଏବେ ଆଳୁକୁ ନେଇ ଚିନ୍ତାରେ। ରାଜ୍ୟରେ ଖୁଚୁରା ବଜାରରେ ଆଳୁ ଦର ୫୦ ଛୁଇଁଲାଣି। ଗୋଟିଏ ଦିନରେ ଆଳୁ ଦର ୧୦ ଟଙ୍କା ବଢ଼ିଛି। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ପାଇଁ ଓଡ଼ିଶାକୁ ଆଳୁ ଆସିପାରୁନାହିଁ। ଆଳୁ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭରଶୀଳ ଥିବାରୁ ରାଜ୍ୟରେ ଦର ଆକାଶଛୁଆଁ ହୋଇଛି। ଓଡ଼ିଶା ବଜାରରେ ଆଳୁ ନିଅଣ୍ଟ ସାଙ୍ଗକୁ ଦର ବୃଦ୍ଧି ପରେ ରାଜ୍ୟ ସରକାର ଆକ୍ସନ ମୋଡ୍କୁ ଆସିଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଳୁ ଗୋଦାମରେ ପହଞ୍ଚି ସ୍ଥିତି ପରଖିଛନ୍ତି। ବ୍ୟବସାୟୀଙ୍କ ସହ ଆଳୁ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଆସନ୍ତା ୭ଦିନ ଯାଏ ଆଳୁ ମହଜୁଦ ରହିଛି। ତେଣୁ ଅସାଧୁ ବ୍ୟବସାୟୀ ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ତାଗିଦ୍ କରିଛନ୍ତି। ପଶ୍ଚିମବଙ୍ଗରୁ ହଠାତ୍ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ହୋଇଛି। ଓଡ଼ିଶା ସୀମାରେ ଆଳୁ ବୋଝେଇ ଟ୍ରକ୍କୁ ପଶ୍ଚିମବଙ୍ଗ ପୁଲିସ ଅନୁମତି ଦେବାକୁ ମନା କରିଦେବା ପରେ ଶହ ଶହ ଆଳୁ ବୋଝେଇ ଟ୍ରକ୍ ଗତକାଲି ରାତିରୁ ଅପେକ୍ଷା କରିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅନୁମତି ନ ପାଇ କିଛି ଟ୍ରକ୍ ଫେରି ଯାଇଛନ୍ତି। ପଶ୍ଚିମବଙ୍ଗର ହୁଗୁଳିରେ ଶୀତଳଭଣ୍ଡାର ମାଲିକମାନେ ଆଳୁକୁ ନେଇ ୪ଦିନ ହେବ ଧର୍ମଘଟ କରିଥିଲେ। ଏଥିପାଇଁ ସେଠାରେ ମଧ୍ୟ ଆଳୁ ଦର ବଢ଼ିଯାଇଛି। ପଶ୍ଚିମବଙ୍ଗରେ ଆଳୁ ଦର କମାଇବା ପାଇଁ ସ୍ଥାନୀୟ ସରକାର ଅନ୍ୟ ରାଜ୍ୟମାନଙ୍କୁ ଆଳୁ ରପ୍ତାନି ଉପରେ କଟକଣା ଲଗାଇଥିବା କୁହାଯାଉଛି। ତେଣୁ ପଶ୍ଚିମବଙ୍ଗରେ ଆଳୁ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଓଡ଼ିଶା ବଜାରରେ ଆଳୁ ଦର ଚଢ଼ା ରହିପାରେ ବୋଲି ଆଶଙ୍କା କରାଯାଉଛି। ପୂର୍ବରୁ ଲୋକମାନେ କେଜିଏ କିମ୍ବା ୨ କିଲୋ ଆଳୁ ନେଉଥିବା ବେଳେ ଏବେ ଚଢ଼ା ଦର ପାଇଁ ଏହାକୁ କମାଇ ଦେଇଛନ୍ତି।