ଭୁବନେଶ୍ୱର,୨୭/୦୮: ଆସନ୍ତା ୨୯ ତାରିଖରେ  ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ । କେନ୍ଦ୍ରୀୟ-ପୂର୍ବ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟର  କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ୨୯ ଓ ୩୦  ତାରିଖରେ ଦକ୍ଷିଣ ଓଡ଼ିଶାର କିଛି  ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।  ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ  କରିଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ଡ. ସୁରେନ୍ଦ୍ରନାଥ  ପଶୁପାଳକ ଆକଳନ କରି କହିଛନ୍ତି, ୨୮ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।  ୨୯ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ  ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ  ଏହା ୪୮ ଘଣ୍ଟା ରହିବ । ଅଗଷ୍ଟ ୩୧ ତାରିଖ ବା ସେପ୍ଟେମ୍ବର ୧  ତାରିଖରେ ଏହା ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ  ରହି ଦକ୍ଷିଣ ଛତିଶଗଡ଼ ଆଡ଼କୁ ମୁହାଁଇପାରେ ।

୩୧ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ  ହୋଇପାରେ । କିନ୍ତୁ ରାଜ୍ୟରେ ଭାରୀ ବର୍ଷାର ସମ୍ଭାବନା ନାହିଁ ।  ଅବିଭକ୍ତ କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟମ  ଧରଣର ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା  ହୋଇପାରେ । ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାର  ସମ୍ଭାବନା ନାହିଁ ବୋଲି ଡ. ପଶୁପାଳକ  ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ୱରରେ ୨୮ରୁ ୩୧  ତାରିଖ ଯାଏ ପ୍ରତିଦିନ ସ୍ୱଳ୍ପରୁ ମଧ୍ୟମ  ଧରଣର ବର୍ଷା ହୋଇପାରେ । ଦକ୍ଷିଣ  ଆଭ୍ୟନ୍ତରରେ ୨୮ରୁ ସେପ୍ଟେମ୍ବର  ୧ ତାରିଖ ଯାଏ ସବୁଦିନ ବର୍ଷା ହେବ । ୩୧ ତାରିଖରୁ  ଆନ୍ଧ୍ରପ୍ରଦେଶରେ ଅତିପ୍ରବଳ ବର୍ଷା ହେବ । ସଅଳ ରୁଆ  ଧାନରେ ପତ୍ରପୋଡ଼ା ରୋଗର ସମ୍ଭାବନା ଅଛି । ଏଥିପାଇଁ  ସତର୍କ ରହିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି ।

ସୋମବାର ଜଗତ୍‌ସିଂହପୁରରେ ୮୧.୧, ପାରାଦୀପରେ  ୪୧.୭, କଟକରେ ୩୩.୪, ସୁନ୍ଦରଗଡ଼ରେ ୧୨.୪ ଓ  ନୂଆପଡ଼ାରେ ୧୧.୪ମିମି ବର୍ଷା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *