ଭୁବନେଶ୍ଵର, ୨୭/୦୮ : ସୁଭଦ୍ରା ଯୋଜନା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ଗାଁର ମହିଳାଙ୍କ ପାଖରେ ସୁବିଧାରେ ପହଞ୍ଚିବ ସୁଭଦ୍ରା ଗାଇଡଲାଇନ୍ ଓ ଫର୍ମ। ଏଥିପାଇଁ ଯୋଜନା କରାଯାଇଛି। ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ଫର୍ମ ଉପଲବ୍ଧ ହେବ। ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ମଧ୍ୟ ଫର୍ମ ମିଳିବ। ମହିଳାମାନେ ୭୪ ହଜାର ଅଙ୍ଗନବାଡି କେନ୍ଦ୍ରରୁ ସୁଭଦ୍ରା ଫର୍ମ ନେଇପାରିବେ।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ସୁଭଦ୍ରା ଯୋଜନା ଆରମ୍ଭ ହେବ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମର୍ପିତ ପ୍ରଧାନମନ୍ତ୍ରୀ। ତେଣୁ ସୁଭଦ୍ରାଙ୍କ ନାଁରେ ନାମିତ ଯୋଜନା ପ୍ରଧାନମନ୍ତ୍ରୀ ମା ଓ ଭଉଣୀମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ସୁଭଦ୍ରା ଯୋଜନା ବିକଶିତ ଓଡ଼ିଶାର ମୂଳ ପିଣ୍ଡ ହେବ। ଯିଏ ଏହି ଯୋଜନାର ଦୁରୂପଯୋଗ କରିବ ଏବଂ ମହିଳାମାନଙ୍କ ପାଖରେ ଯୋଜନା ପହଞ୍ଚାଇବାକୁ ଯିଏ ପ୍ରତିବନ୍ଧକ ହେବ ତାକୁ ଦଣ୍ଡ ମିଳିବ। ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ଦଳ ନେତା ଯେଉଁ ଉକ୍ତି ରଖିଛନ୍ତି ବିଧାସଭାରେ ତାର ଉତ୍ତର ଦିଆଯିବ।

ରାଜ୍ୟରେ ୨୧ ରୁ ୬୦ ବର୍ଷ ମଧ୍ୟରେ ମହିଳାଙ୍କ ସଂଖ୍ୟା ହେଉଛି ଦୁଇ କୋଟି ୨୫ ଲକ୍ଷ। ଏହି ସଂଖ୍ୟା ଭିତରୁ ସ୍ଵଛଳ ବର୍ଗର ମହିଳାଙ୍କୁ ଛାଡ଼ି ଦେଲେ ୨୧ ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ପାଖାପାଖି ୧ କୋଟି। ରାଜ୍ୟ ସରକାର ଏକ କୋଟି ୮ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବେ। ଯଦି ଆଉ କିଛି ମହିଳା ପାଇବେନି ବୋଲି ବିଜୁ ଜନତା ଦଳକୁ ଅନୁଭବ ହେବ ମତେ ଚିଠା ପଠେଇ ଦେବେ ମୁଁ ସମସ୍ତଙ୍କୁ ଦେବି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।

ସେହିପରି ସୁଭଦ୍ରା ଯୋଜନାକୁ ନେଇ ବିଜେଡିର କଟାକ୍ଷକୁ ନେଇ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲଲିପପ୍ ଯିଏ ଦେଖାଉଥାଏ ତାକୁ ସବୁ ଜିନିଷରେ ଲଲିପପ୍ ଦେଖାଯାଏ। ବିଜେପି ପ୍ରତିଶ୍ରୁତିବଦ୍ଧ। ଯାହା କହିକି ସରକାରକୁ ଆସିଛି ତାହା ଦେବ। ଆମେ କହିଥିଲୁ ସମସ୍ତଙ୍କୁ ଦେବୁ, କେମିତି ଦେବୁ ବୋଲି କେବେ କହି ନଥିଲୁ। ୫୦ ହଜାର କହିଥିଲୁ, ୫୦ ହଜାର ଦେଉଛୁ।

Leave a Reply

Your email address will not be published. Required fields are marked *