SulagnaSpeaks: ଗୋଟିଏ ପଟେ ଏକ ଖଣି ମାମଲାକୁ ରଫାଦଫା କରିବାକୁ ୫୦ ଲକ୍ଷ ଟଙ୍କାର ଡିଲ୍ କରି ଜଣେ ଦଲାଲଙ୍କ ମାଧ୍ୟମରେ ପ୍ରଥମ କିସ୍ତିରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦ୍ୱାରା ଗତକାଲି ଧରା ପଡ଼ିଥିବା ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ । ଅନ୍ୟପଟେ ଗ୍ରାମ୍ୟ ନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି ! ଭୁବନେଶ୍ୱର ଓ ଅନୁଗୁଳ ଘରୁ ଜବତ ହେଲାଣି ୨କୋଟି ୫୬ଲକ୍ଷ ବିଡ଼ା ବିଡ଼ା ନଗଦ ଟଙ୍କା ! ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ସେ ନିଜ ଘର ଭିତରୁ ପଡ଼ିଶା ଘର ଆଜବେଷ୍ଟସ ଛାତ ଉପରକୁ ଫିଙ୍ଗି ଦେଇଥିଲେ ବିଡ଼ା ବିଡ଼ା ୫୦୦ ଟଙ୍କିଆ । ନଗଦ ଟଙ୍କା ସମେତ ବିଭିନ୍ନ ସ୍ଥାନରୁ ଆୟ ବହିର୍ଭୁତ ବହୁ ସ୍ଥାବର ଅସ୍ଥାବର ସମ୍ପତ୍ତି ଓ ସେୟାର ମାର୍କେଟରେ କୋଟି କୋଟି ଟଙ୍କା ବିନିଯୋଗ ହୋଇଥିବା ନେଇ ଭିଜିଲାନ୍ସ ଟିମ ହାତରେ ଲାଗିଛି ପ୍ରମାଣ ! ଆସନ୍ତାକାଲି ତାଙ୍କର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବାର ଥିଲା ମାତ୍ର ସେହି ଆସନ୍ତାକାଲି ହିଁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ଓ ସେ ଜେଲ ଯିବେ ! ଏମାନେ ଯେଉଁ ମାନେ ସାମାଜିକ ବା ପାରିବାରିକ ଆଧିପତ୍ୟ ବିସ୍ତାର କରିବା ପାଇଁ ନିଜକୁ ବଡ଼ଲୋକି ଦେଖାଇବା ପାଇଁ ଚୋରି କରୁଥିଲେ କାଲି ଠାରୁ ସେମାନଙ୍କ ପରିବାର ଓ ଆତ୍ମୀୟ ପରିଚୟ ଦେବାକୁ କୁଣ୍ଠାବୋଧ କରୁଥିବେ ନିଶ୍ଚିତ।