ଗୁରୁ ଦିବସ କେବଳ ଗୁରୁଙ୍କୁ ଫୁଲ ଦେବା, ପ୍ରଣାମ କରିବା କିମ୍ବା ଫଟୋ ଉଠାଇବାର ଦିନ ନୁହେଁ। ଏହା ନିଜକୁ ପ୍ରଶ୍ନ କରିବାର ଦିନ—ଆମେ ପ୍ରକୃତରେ ଗୁରୁଙ୍କୁ ସମ୍ମାନ ଦେଉଛୁ ତ? ଆମ ଶିକ୍ଷା ବ୍ୟବସ୍ଥାରେ ‘ଗୁରୁ’ର ଗୁରୁତ୍ୱ ଅବିକଳ ରହିଛି ତ?
ପ୍ରଥମ ଗୁରୁ ହେଉଛନ୍ତି ପିତାମାତା। ନିଜ ଜୀବନର ସର୍ବଶ୍ରେଷ୍ଠ ସଂଘର୍ଷ ଦେଇ ଯେଉଁମାନେ ସନ୍ତାନକୁ ଏହି ଦୁନିଆକୁ ଆଣନ୍ତି, ତାଙ୍କ ପ୍ରତି ପ୍ରଣାମ ଯେତେ କଲେ ମଧ୍ୟ କମ୍। ତା’ପରେ ଆସନ୍ତି ଶିକ୍ଷାଗୁରୁ—ଯେଉଁମାନେ ଜ୍ଞାନ ସହିତ ମଣିଷକୁ ମଣିଷ କରିବାର ଦାୟିତ୍ୱ ନିଅନ୍ତି।
କିନ୍ତୁ ଆଜି ଏକ କଠୋର ପ୍ରଶ୍ନ ଆମ ସମ୍ମୁଖରେ ଠିଆ ହୋଇଛି। ଯିଏ କେବଳ ବେତନ ପାଇଁ ପଢ଼ାଏ, ସିଲାବସ୍ ସାରିବାକୁ ଶିକ୍ଷାର ଲକ୍ଷ୍ୟ ଭାବେ ଦେଖେ ଏବଂ ଛାତ୍ରଙ୍କୁ ଜ୍ଞାନ ଅପେକ୍ଷା ଭୟ ଦିଏ—ସେ କେବଳ ଶିକ୍ଷକ, ନା ଗୁରୁ?
ଗୁରୁ ଓ ଶିକ୍ଷକ ମଧ୍ୟରେ ଏହି ପାର୍ଥକ୍ୟକୁ ବୁଝିବାର ସମୟ ଆସିଛି।
ରାଧାକୃଷ୍ଣନଙ୍କ ଆଦର୍ଶ ଓ ଆଜିର ଶିକ୍ଷା
ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନ ଆମ ପାଇଁ ଶିକ୍ଷାର ପ୍ରକୃତ ଅର୍ଥର ଏକ ଉଜ୍ଜ୍ୱଳ ଉଦାହରଣ। ତାଙ୍କ ପାଇଁ ଶିକ୍ଷା କେବଳ ପାଠ୍ୟପୁସ୍ତକର ତଥ୍ୟ ନଥିଲା; ଶିକ୍ଷା ଥିଲା ମଣିଷର ଚିନ୍ତନ, ବିବେକ, ଚରିତ୍ର ଓ ମାନବିକତାର ବିକାଶ।
ଆଜି ତଥ୍ୟର ଅଭାବ ନାହିଁ। ଗୁଗୁଲ୍, ୟୁଟ୍ୟୁବ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ମାଧ୍ୟମ ମୁହୂର୍ତ୍ତକ ମଧ୍ୟରେ ହଜାର ହଜାର ତଥ୍ୟ ଦେଇପାରୁଛି। କିନ୍ତୁ ତଥ୍ୟ ଦେବା ଓ ଜୀବନର ଦିଗଦର୍ଶନ ଦେବା ଏକ କଥା ନୁହେଁ।
ଗୁଗୁଲ୍ ସୂଚନା ଦେଇପାରେ, କିନ୍ତୁ ଗୁରୁ ବିବେକ ଦିଅନ୍ତି।
ପୁସ୍ତକ ଜ୍ଞାନ ଦେଇପାରେ, କିନ୍ତୁ ଗୁରୁ ଜ୍ଞାନର ସଠିକ୍ ବ୍ୟବହାର ଶିଖାନ୍ତି।
ପ୍ରାଚୀନ ଭାରତୀୟ ପରମ୍ପରାରେ ଗୁରୁ-ଶିଷ୍ୟ ସମ୍ପର୍କ କେବଳ ପାଠପଢ଼ାର ସମ୍ପର୍କ ନଥିଲା। ଏହା ଥିଲା ଜୀବନକୁ ବୁଝିବା ଓ ଜୀବନକୁ ଗଢ଼ିବାର ସମ୍ପର୍କ।
ଆଜି ଶିକ୍ଷାର ବ୍ୟବସାୟୀକରଣ ନେଇ ଗଭୀର ଚିନ୍ତାର ଆବଶ୍ୟକତା ରହିଛି। ଯେତେବେଳେ ଶିକ୍ଷା ପଣ୍ୟରେ ପରିଣତ ହୁଏ, ଡିଗ୍ରୀ ଏକ ବଜାରୀୟ ମୂଲ୍ୟରେ ପରିଣତ ହୁଏ ଏବଂ ଶିକ୍ଷକ-ଛାତ୍ର ସମ୍ପର୍କ କ୍ରେତା-ବିକ୍ରେତା ସମ୍ପର୍କର ରୂପ ନିଏ, ସେତେବେଳେ ଶିକ୍ଷାର ମୂଳ ଉଦ୍ଦେଶ୍ୟ ଦୁର୍ବଳ ହୋଇଯାଏ।
ଶିକ୍ଷକଙ୍କ କାମ କେବଳ ‘ସିଲାବସ୍ ସରାଇବା’ ନୁହେଁ। ତାଙ୍କର ବଡ଼ ଦାୟିତ୍ୱ ହେଉଛି—ଛାତ୍ରର ମନରେ ପ୍ରଶ୍ନ କରିବାର ସାହସ, ସତ୍ୟ କହିବାର ଶକ୍ତି, ଅନ୍ୟକୁ ସମ୍ମାନ କରିବାର ସଂସ୍କାର ଏବଂ ଦେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା।
ଉତ୍କଳର ଶିକ୍ଷା ଇତିହାସରେ ସତ୍ୟବାଦୀ ବନ ବିଦ୍ୟାଳୟ ଏକ ଅନନ୍ୟ ଅଧ୍ୟାୟ। ଗୋପବନ୍ଧୁ ଦାସ ଓ ତାଙ୍କ ସହଯୋଗୀମାନେ ଶିକ୍ଷାକୁ କେବଳ ପରୀକ୍ଷା ଓ ଚାକିରିର ମାଧ୍ୟମ ଭାବେ ଦେଖିନଥିଲେ। ସେମାନଙ୍କ ଲକ୍ଷ୍ୟ ଥିଲା ଚରିତ୍ରବାନ୍, ସ୍ୱାଭିମାନୀ ଓ ସେବାମନୋଭାବୀ ନାଗରିକ ଗଢ଼ିବା।
ଶିକ୍ଷା ସହିତ ଶ୍ରମ, ସତ୍ୟ, ସେବା ଓ ଦେଶପ୍ରେମକୁ ଯୋଡ଼ିବା ଥିଲା ସେହି ଚିନ୍ତାଧାରାର ବିଶେଷତା।
ଆଜି ଆମ ପାଖରେ ସ୍ମାର୍ଟ କ୍ଲାସ୍ରୁମ୍ ଅଛି, ଡିଜିଟାଲ୍ ବୋର୍ଡ ଅଛି, ଅନଲାଇନ୍ ଶିକ୍ଷା ଅଛି। କିନ୍ତୁ ଏହି ସମସ୍ତ ପ୍ରଯୁକ୍ତି ସହିତ ଯଦି ମାନବିକତା, ନୈତିକତା ଓ ସଂସ୍କାର ନଥାଏ, ତେବେ ଶିକ୍ଷାର ପୂର୍ଣ୍ଣତା କେଉଁଠି?
ଆଜିର ଅଭିଭାବକ, ଛାତ୍ର ଓ ସମାଜ ଏକ ପ୍ରତିଯୋଗିତାରେ ଦୌଡ଼ୁଛନ୍ତି—କିଏ ଅଧିକ ମାର୍କ ପାଇବ, କିଏ ଟପ୍ପର ହେବ, କିଏ ଭଲ ଚାକିରି ପାଇବ।
ଏହି ଲକ୍ଷ୍ୟଗୁଡ଼ିକ ଭୁଲ ନୁହେଁ। କିନ୍ତୁ ଏହା ସହିତ ଆଉ ଏକ ପ୍ରଶ୍ନ ଯୋଡ଼ିବା ଆବଶ୍ୟକ—ଆମ ପିଲାମାନେ କେତେ ଭଲ ମଣିଷ ହେଉଛନ୍ତି?
୯୯ ପ୍ରତିଶତ ମାର୍କ ପାଇବା ଗର୍ବର କଥା। କିନ୍ତୁ ସେହି ଛାତ୍ର ଯଦି ବୃଦ୍ଧ ପିତାମାତାଙ୍କୁ ସମ୍ମାନ ଦେଇନପାରେ, ଦୁର୍ବଳଙ୍କ ପ୍ରତି ସମ୍ବେଦନଶୀଳ ନୁହେଁ, ସତ୍ୟ ଓ ନ୍ୟାୟ ପାଇଁ ଠିଆ ହେବାର ସାହସ ନାହିଁ—ତେବେ ଆମ ଶିକ୍ଷାର ସଫଳତାକୁ ନେଇ ପୁଣିଥରେ ଭାବିବାକୁ ପଡ଼ିବ।
ରକେଟ୍ ତିଆରି କରୁଥିବା ମଣିଷ ଦରକାର, କିନ୍ତୁ ତା’ଠାରୁ ଅଧିକ ଦରକାର ମାନବିକ ମଣିଷ।ଦୋଷାରୋପ ନୁହେଁ, ଆତ୍ମସମୀକ୍ଷା ଆବଶ୍ୟକ।ଏହି ଆଲୋଚନାର ଉଦ୍ଦେଶ୍ୟ ସମଗ୍ର ଶିକ୍ଷକ ସମାଜକୁ ଦୋଷ ଦେବା ନୁହେଁ। ଆଜି ମଧ୍ୟ ହଜାର ହଜାର ଶିକ୍ଷକ ନିଷ୍ଠା, ତ୍ୟାଗ ଓ ଦାୟିତ୍ୱବୋଧର ସହିତ ନିଜ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ୁଛନ୍ତି। ଅନେକ ଶିକ୍ଷକ ନିଜ ସୁବିଧାକୁ ପଛରେ ପକାଇ ଦୂରଦୂରାନ୍ତରେ ଶିକ୍ଷାର ଆଲୋକ ପହଞ୍ଚାଉଛନ୍ତି।
ସେହିପରି ଛାତ୍ର ସମାଜକୁ ମଧ୍ୟ ଦୋଷ ଦେବା ଏହି ଲେଖାର ଉଦ୍ଦେଶ୍ୟ ନୁହେଁ। ବରଂ ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ଯେଉଁ ଦୂରତ୍ୱ, ଭୁଲ ଓ ତାରତମ୍ୟ ସୃଷ୍ଟି ହୋଇଛି, ତାହାକୁ କିପରି ଦୂର କରାଯିବ—ସେ ନେଇ ଚିନ୍ତା କରିବା ହିଁ ଆବଶ୍ୟକ।
ଗୁରୁଙ୍କୁ ପୂଜା ନୁହେଁ, ଗୁରୁତ୍ୱ ଫେରାଇବା
ଗୋଟିଏ ଦିନ ଫୁଲ ଦେଇ, ଉପହାର ଦେଇ କିମ୍ବା ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ କରି ଗୁରୁ ଋଣ ଶୁଝିବ ନାହିଁ।
ଶିକ୍ଷକଙ୍କୁ ମଧ୍ୟ ନିଜକୁ ପ୍ରଶ୍ନ କରିବାକୁ ହେବ—ମୁଁ କେବଳ ପଢ଼ାଉଛି ନା ଜୀବନ ଗଢ଼ୁଛି?
ଛାତ୍ରଙ୍କୁ ମଧ୍ୟ ପଚାରିବାକୁ ହେବ—ମୁଁ କେବଳ ପାସ୍ କରିବାକୁ ପଢ଼ୁଛି ନା ଭଲ ମଣିଷ ହେବାକୁ ପ୍ରସ୍ତୁତ ହେଉଛି?
ସମାଜକୁ ପଚାରିବାକୁ ହେବ—ଆମେ ଶିକ୍ଷକଙ୍କୁ କେବଳ ଜଣେ ବେତନଭୋଗୀ କର୍ମଚାରୀ ଭାବେ ଦେଖୁଛୁ ନା ଜାତି ଗଢ଼ିବାର ଶିଳ୍ପୀ ଭାବେ ସମ୍ମାନ କରୁଛୁ?
କାରଣ ଗୋଟିଏ ଖରାପ କୁମ୍ଭାର ଗୋଟିଏ ମାଠିଆ ନଷ୍ଟ କରିପାରେ, କିନ୍ତୁ ଜଣେ ଦାୟିତ୍ୱହୀନ ଶିକ୍ଷକଙ୍କ ପ୍ରଭାବ ଗୋଟିଏ ପିଢ଼ି ଉପରେ ପଡ଼ିପାରେ। ଅନ୍ୟପକ୍ଷରେ, ଜଣେ ଆଦର୍ଶ ଗୁରୁ ଗୋଟିଏ ପିଢ଼ିର ଭାଗ୍ୟ ବଦଳାଇପାରନ୍ତି।
ଆଜିର ଛାତ୍ର ସମାଜ ବଡ଼ ମଣିଷ ହେବାର ଦୌଡ଼ରୁ ବାହାରି ଭଲ ମଣିଷ ହେବାର ଦୌଡ଼ରେ ସାମିଲ ହେଲେ, ଆଗାମୀ ଦିନରେ ଗାନ୍ଧୀ, ଗୋପବନ୍ଧୁ, ସୁବାଷ ଓ ବିବେକାନନ୍ଦଙ୍କ ଭଳି ମହାନ ଚରିତ୍ର ଗଢ଼ିଉଠିବା ଅସମ୍ଭବ ନୁହେଁ।
