ଯାଜପୁର: ଯାଜପୁର ଜିଲ୍ଲାର ବହୁଚର୍ଚ୍ଚିତ ଅଟଳ କୁଅଁର ଓରଫ ସୁବାସ ହତ୍ୟା ମାମଲାରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ସୁବାସଙ୍କ ପତ୍ନୀ ମମତାଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ। ଜରିମାନା ଅନାଦାୟ ହେଲେ ଅତିରିକ୍ତ ୧୨ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଅନ୍ୟପକ୍ଷରେ, ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଅଜୟ ସାମଲ ଓ କୃଷ୍ଣ ସେଠୀଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, ମଙ୍ଗଳପୁର ଥାନା ଅନ୍ତର୍ଗତ ପ୍ରଗତିବିହାର କଲୋନୀର ଏକ ଭଡ଼ା ଘରେ ଅଟଳ କୁଅଁର ଓରଫ ସୁବାସ ସପରିବାର ରହୁଥିଲେ। ସୁବାସଙ୍କ ପତ୍ନୀ ମମତାଙ୍କ ସହ ଅଜୟ ସାମଲଙ୍କର ସମ୍ପର୍କ ଥିବା ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ଲାଗିରହୁଥିଲା। ଏହି ବିବାଦକୁ କେନ୍ଦ୍ର କରି ସୁବାସଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁସାରେ, ସୁବାସ ଶୋଇଥିବା ସମୟରେ ତକିଆ ଓ ମୋବାଇଲ ଚାର୍ଜର କର୍ଡ ସାହାଯ୍ୟରେ ତାଙ୍କୁ ଗଳାଚାପି ହତ୍ୟା କରାଯାଇଥିଲା। ଘଟଣା ପରେ ମୃତକଙ୍କ ବଡ଼ ଭାଇ ରଞ୍ଜନ କୁମାର କୁଅଁର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମମତାଙ୍କ ସମେତ ଅଜୟ ସାମଲ ଓ କୃଷ୍ଣ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ମାମଲାର ଶୁଣାଣି ସମୟରେ ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଓ ୩୬ଟି ଦସ୍ତାବିଜକୁ ଅଦାଲତ ବିଚାରକୁ ନେଇଥିଲେ। ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ବିଶ୍ୱେଶ୍ୱର ବିଶ୍ୱ ପ୍ରକାଶ ରାୟ ମମତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ଏହି ମାମଲାକୁ ସରକାରୀ ଓକିଲ କୁଳମଣି ନାୟକ ଓ ଅତିରିକ୍ତ ସରକାରୀ ଓକିଲ ବିପ୍ଳବ କୁମାର ମୁଦୁଲି ପରିଚାଳନା କରିଥିଲେ।
ରାୟ ପ୍ରକାଶ ପରେ ଅଭିଯୋଗକାରୀ ତଥା ମୃତ ଅଟଳଙ୍କ ବଡ଼ ଭାଇ ରଞ୍ଜନ କୁଅଁର କହିଛନ୍ତି ଯେ, “ସତ୍ୟର ଜୟ ହୋଇଛି।” ବିଚାରପତିଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଦୀର୍ଘଦିନ ପରେ ଅଟଳଙ୍କ ଆତ୍ମାକୁ ଶାନ୍ତି ମିଳିଥିବ ବୋଲି ସେ କହିଛନ୍ତି।

