୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକର ବିଡ଼ାନାସୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ କହିଛନ୍ତି ପ୍ରତ୍ଯେକ ଓଡିଶାବାସୀ, ଦେଶ ତଥା ଦେଶ ବାହାରେ ରହୁଥିବା ପ୍ରତ୍ଯେକ ଭାରତୀୟଙ୍କୁ ଆଜିର ଦିନର ଅନେକ ଅନେକ ଶୁଭେଚ୍ଛା। ଆମେ ଜାଣୁ ଆଧୁନିକ ଭାରତ ଇତିହାସରେ ଦୁଇଗୋଟି ଦିନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ, ୧୫ ଅଗଷ୍ଟ ୧୯୪୭, ଯେଉଁଦିନ ଆମ ଦେଶ ଭାରତ ଏକ ସ୍ଵାଧୀନ ରାଷ୍ଟ୍ର ଭାବେ ଜନ୍ମ ନେଲା ଏବଂ ୨୬ ଜାନୁଆରୀ ୧୯୫୦, ଯେଉଁଦିନ ଦେଶ ଏକ ଗଣତାନ୍ତ୍ରିକ ସାର୍ବଭୌମ୍ୟ ରାଷ୍ଟ୍ରରେ ପରିଣତ ହେଲା। ପ୍ରତ୍ଯେକ ଭାରତବାସୀଙ୍କ ପାଇଁ ଏହି ଦୁଇଟି ଯାକ ଦିନ ସବୁଠାରୁ ବଡ ପର୍ବ।

ଆମର ସ୍ଵାଧୀନତା ସଂଗ୍ରାମ ଏକ ସଙ୍ଘର୍ଷମୟ କାହାଣୀ, ବଳିଦାନର କାହାଣୀ ଓ ତ୍ୟାଗର ଗାଥା। ଏହି ସଂଘର୍ଷରେ ଲକ୍ଷ ଲକ୍ଷ ଦେଶବାସୀ ନିଜକୁ ଉତ୍ସର୍ଗ କରିଦେଇଥିଲେ । ସେମାନେ ତାଙ୍କର କୈଶୋର ଏବଂ ଯୌବନ ଦେଶ ଉଦ୍ଦେଶ୍ୟରେ ସମର୍ପି ଦେଇଥିଲେ, କାରଣ ଆମେ ଏକ ସ୍ଵାଧୀନ ଦେଶରେ ନିଶ୍ଵାସ-ପ୍ରଶ୍ବାସ ନେଇ ପାରିବା। ଆଜି ମୋର ପରମ ସୌଭାଗ୍ୟ ଯେ, ଆଜି ଏହି ମଞ୍ଚରୁ ମୁଁ ଦେଶର ସେଇ ସବୁ ମହାନ ଜନନାୟକ ଏବଂ ମନିଷୀ ମାନଙ୍କୁ ପ୍ରଣାମ କରିବାର ସୁଯୋଗ ପାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *