ସୁଲଗ୍ନା ମହାନ୍ତି

ସୋସିଆଲ ମିଡିଆର ଏହି ବିଶାଳ ଦୁନିଆରେ ପ୍ରତିଦିନ ଅନେକ ଚେହେରା ଆମ ସାମ୍ନାକୁ ଆସନ୍ତି। କିଏ ନିଜ ପ୍ରତିଭା ପାଇଁ ତ ଆଉ କିଏ ନିଜର ନିଆରା ଅନ୍ଦାଜ ପାଇଁ ରାତାରାତି ଲୋକପ୍ରିୟ ହୋଇଯାଆନ୍ତି। କିନ୍ତୁ କେତେକ ଚେହେରା ଏମିତି ଥାଏ, ଯାହାର ହସ ପଛରେ ଲୁଚି ରହିଥାଏ ସଂଘର୍ଷ, ଅଭାବ ଓ ସଫଳତାର ଏକ ଅସାଧାରଣ କାହାଣୀ। ଅରୁଣ କୁମାରଙ୍କ କାହାଣୀ ଠିକ୍ ସେହିଭଳି।

ହାତରେ ଚା’ କପ୍, ମୁହଁରେ ନିଷ୍କପଟ ହସ ଓ ଆଖିରେ ଏକ ବେଫିକର ଆନନ୍ଦ। ଏହି ଦୃଶ୍ୟ ଆଜି ଇଣ୍ଟରନେଟ୍‌ରେ ଏକ ପରିଚିତ ମିମ୍‌ରେ ପରିଣତ ହୋଇଛି। ଲକ୍ଷ ଲକ୍ଷ ଲୋକ ତାଙ୍କ ହସକୁ ଦେଖି ମନୋରଞ୍ଜନ ପାଉଛନ୍ତି। ହେଲେ ସେହି ହସ ପଛରେ ଥିବା ଜୀବନ ସଂଘର୍ଷକୁ କେତେଜଣ ଜାଣନ୍ତି?

ତେଲେଙ୍ଗାନାର ଏକ ଗରିବ ପରିବାରରେ ଜନ୍ମିତ ଅରୁଣଙ୍କ ପାଇଁ ପିଲାଦିନ ଆଦୌ ସହଜ ନଥିଲା। ଆର୍ଥିକ ଅନଟନ ଯୋଗୁଁ ଚତୁର୍ଥ ଶ୍ରେଣୀ ପରେ ପାଠପଢ଼ାରେ ବିରାମ ଲଗାଇବାକୁ ପଡ଼ିଥିଲା। ଯେଉଁ ବୟସରେ ପିଲାମାନେ ସ୍କୁଲରେ ସ୍ୱପ୍ନ ଦେଖିବା ଶିଖନ୍ତି, ସେହି ବୟସରେ ଅରୁଣ ପରିବାରର ଦାୟିତ୍ୱ ବହନ କରିବାକୁ ଶ୍ରମ କରୁଥିଲେ।

କିନ୍ତୁ ଜୀବନ ସବୁବେଳେ ଗୋଟିଏ ରାସ୍ତାରେ ଚାଲେ ନାହିଁ। ନେହେରୁ ନାମକ ଜଣେ ଟ୍ରକ୍ ଡ୍ରାଇଭରଙ୍କ ସହ ପରିଚୟ ତାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲା। ଟ୍ରକ୍‌ରେ କ୍ଲିନର୍ ଭାବେ କାମ କରିବା ସହ ଦୁହେଁ ଯାତ୍ରା ସମୟରେ ମଜାଳିଆ ଭିଡିଓ ତିଆରି କରୁଥିଲେ। ରାଜପଥ କଡ଼ରେ ଚା’ ପିଉଥିବା ସମୟରେ ଅରୁଣଙ୍କ ଏକ ସ୍ୱାଭାବିକ ହସକୁ କ୍ୟାମେରାରେ କଏଦ କରି ନେହେରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଉ ସେହି ଛୋଟିଆ ଭିଡିଓ ତାଙ୍କୁ ଦେଇଥିଲା ଏକ ବଡ଼ ପରିଚୟ।

ତେବେ ଅରୁଣଙ୍କ କାହାଣୀର ସବୁଠାରୁ ପ୍ରେରଣାଦାୟକ ଦିଗ ହେଉଛି ତାଙ୍କର ପାଠପଢ଼ା ପ୍ରତି ଫେରିଥିବା ଆଗ୍ରହ। ଦାରିଦ୍ର୍ୟ ଯେଉଁଠି ତାଙ୍କ ଶିକ୍ଷାରେ ପ୍ରତିବନ୍ଧକ ସାଜିଥିଲା, ସେହି ଅରୁଣ ସୁଯୋଗ ପାଇବା ପରେ ପୁଣିଥରେ ବହି ଧରିଥିଲେ ଏବଂ ଦଶମ ଶ୍ରେଣୀ ପରୀକ୍ଷାରେ ସଫଳତା ହାସଲ କରିଥିବା କଥା ଜଣାପଡ଼ିଛି। ଏହା କେବଳ ଏକ ପରୀକ୍ଷାର ସଫଳତା ନୁହେଁ, ବରଂ ନିଜ ଅଧୁରା ସ୍ୱପ କୁ ପୁଣିଥରେ ଜୀବନ୍ତ କରିବାର ଏକ ଉଦାହରଣ।

ଏହି ଘଟଣା ଆମ ସମାଜ ପାଇଁ ଅନେକ ଶିକ୍ଷା ଦେଇଯାଏ। ପ୍ରଥମତଃ, ପ୍ରତିଭା କେବଳ ବଡ଼ ବଡ଼ ସହର, ଦାମୀ ବିଦ୍ୟାଳୟ କିମ୍ବା ସମ୍ପନ୍ନ ପରିବାରରେ ସୀମିତ ନୁହେଁ। ଏହା ଗାଁର ଗଳି, ଶ୍ରମିକଙ୍କ ଝୁପୁଡ଼ି ଏବଂ ରାଜପଥ କଡ଼ରେ ମଧ୍ୟ ଜନ୍ମ ନେଇପାରେ। ଦ୍ୱିତୀୟତଃ, ଜଣେ ବ୍ୟକ୍ତିଙ୍କୁ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ମିଳିଲେ ତାଙ୍କ ଜୀବନର ଦିଗ ବଦଳିପାରେ।

ଏଠାରେ ନେହେରୁଙ୍କ ଭୂମିକାକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। ଜଣେ ମଣିଷର ଭିତରେ ଥିବା ପ୍ରତିଭାକୁ ଚିହ୍ନିବା ଏବଂ ତାକୁ ଆଗକୁ ବଢ଼ିବାର ସୁଯୋଗ ଦେବା ହିଁ ପ୍ରକୃତ ସହଯୋଗ। ସମାଜରେ ଏମିତି ହଜାର ହଜାର ଅରୁଣ ଅଛନ୍ତି, ଯେଉଁମାନଙ୍କ ପ୍ରତିଭା ଅଭାବ ଓ ସୁଯୋଗର ଅଭାବ ଭିତରେ ଚାପି ହୋଇ ରହିଯାଉଛି। ସେମାନଙ୍କୁ ଚିହ୍ନିବା ଓ ହାତ ବଢ଼ାଇବା ଆମ ସମସ୍ତଙ୍କ ସାମାଜିକ ଦାୟିତ୍ୱ।

ଜୀବନରେ ସୁଯୋଗ କେତେବେଳେ, କେଉଁ ରୂପରେ ଆସିବ ତାହା କେହି ଜାଣିନାହାନ୍ତି। କିନ୍ତୁ ସୁଯୋଗ ଆସିଲେ ତାକୁ ଚିହ୍ନିବା, ପରିଶ୍ରମ କରିବା ଓ ନିଜକୁ ପ୍ରମାଣିତ କରିବା ଆମ ହାତରେ। କାରଣ ଭାଗ୍ୟ ବଦଳାଇବା ପାଇଁ ସବୁବେଳେ ବଡ଼ ପୁଞ୍ଜିର ଆବଶ୍ୟକତା ନଥାଏ; ବେଳେବେଳେ ଏକ ଛୋଟ ସୁଯୋଗ, ଜଣେ ସହଯୋଗୀ ମଣିଷ ଓ ନିଜ ଉପରେ ଅତୁଟ ବିଶ୍ୱାସ ହିଁ ଯଥେଷ୍ଟ।

ଏକ କପ୍ ଚା’ରୁ ଆରମ୍ଭ ହୋଇଥିବା ଏହି କାହାଣୀ ଆମକୁ ମନେ ପକାଇଦିଏ—ପରିସ୍ଥିତି ମଣିଷର ପରିଚୟ ନୁହେଁ, ତା’ର ସାହସ ଓ ସଂଘର୍ଷ ହିଁ ତା’ର ପ୍ରକୃତ ପରିଚୟ।

 

 

Leave a Reply

Your email address will not be published. Required fields are marked *