Oplus_131072

ଭୁବନେଶ୍ବର: ଷ୍ଟିୟରିଂ କମିଟି ଗଠନ ହେବା ପରେ କଂଗ୍ରେସରେ ଅସନ୍ତୋଷ ଭୀଷଣ ରୂପ ନେଇଛି। ଗତକାଲି ବିଜୟ ପଟ୍ଟନାୟକ ଦଳ ଛାଡ଼ିଥିଲେ। ଆଜି ଦଳର ଏକାଧିକ ନେତା ଗଣମାଧ୍ୟମ ସାମ୍ନାକୁ ଆସି ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଦଳୀୟ ସ୍ବାର୍ଥ ଅପେକ୍ଷା ଏଠାରେ ବ୍ୟକ୍ତିଗତ ସ୍ବାର୍ଥକୁ ପ୍ରାଧାନ୍ୟ ଦିଆଯାଉଛି। ଏହା ଦଳ ଭିତରେ ଫାଟ ସୃଷ୍ଟି କଲାଣି। ଏହା ହେବା ଅନୁଚିତ। ଅନ୍ୟଥା ଲୋକେ ଆମକୁ କ୍ଷମା ଦେବେନି। ତାରା ଆହୁରି କହିଛନ୍ତି, କଂଗ୍ରେସରେ ଗୋଡ଼ ଝିକା ଝିକି ଚାଲିଛି। କାହା ସହ କାହା କଥାର ତାଳମେଳ ରହୁନି। ସଚ୍ଚା କଂଗ୍ରେସ କର୍ମୀ ହିସାବରେ ଆମକୁ କାନ୍ଦ ଲାଗୁଛି। କଂଗ୍ରେସ ଦଳର ‘ବସ୍‌’ ଗାନ୍ଧୀ ପରିବାର। ସେମାନେ ଯାହା ନିଷ୍ପତ୍ତି ନେବେ ତାକୁ ଆମକୁ ମାନିବାକୁ ହେବ। ‌ମୋତେ ବିଜେଡି, ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି। ତେଣୁ ଏ ସବୁରେ ନ ପଶି ମୁଁ ମୋ ନିର୍ବାଚନମଣ୍ଡଳୀ ଭିତରେ ଅଛି। କଂଗ୍ରେସ ସଂଗଠନ ଭାଙ୍ଗିବାକୁ ବସିଲାଣି। କର୍ମୀ ଦୁର୍ବଳ ହୋଇପଡ଼ିଛନ୍ତି। ବର୍ତ୍ତମାନର ସ୍ଥିତି ଯାହା ସେଥିରେ ସବୁ କଂଗ୍ରେସ କର୍ମୀ ଏକଜୁଟ ହେବା ଦରକାର ବୋଲି ଶ୍ରୀ ବାହିନୀପତି କହିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ ଆଉ ପାଦେ ଆଗକୁ ଯାଇ ପ୍ରଭାରୀଙ୍କୁ ପରିଚାଳନା କମିଟି ଅଧ୍ୟକ୍ଷ କରାଯିବା ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି। ସେ ସିଧା ସିଧା କହିଛନ୍ତି, ଅତୀତରେ କେବେ ବି ରାଜ୍ୟ କଂଗ୍ରେସର କୌଣସି କମିଟିରେ ପ୍ରଭାରୀ ଅଧ୍ୟକ୍ଷ ହୋଇ ନଥିଲେ। ପ୍ରଥମ ଥର ପାଇଁ କଂଗ୍ରେସରେ ଏଭଳି ଘଟଣା ଘଟିଛି। ଏବେ ଓଡ଼ିଆ ଅସ୍ମିତାର କଥା କୁହାଯାଉଥିବା ବେଳେ କଂଗ୍ରେସକୁ ଓଡ଼ିଆ ନେତା ମିଳିଲେ ନାହିଁ, ଜଣେ ଅଣଓଡିଆଙ୍କୁ ଅଧ୍ୟକ୍ଷ କରାଗଲା; ଯାହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କାହିଁକି କମିଟି ଗଠନ ହେଲା? ଏହାର ଉଦ୍ଦେଶ୍ୟ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏଯାବତ୍‌ ଗତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟର ସମୀକ୍ଷା ହେଲା ନାହିଁ। କାହାର ଅପରାଗତା ଲୁଚାଇବାକୁ ଏହି ସମୀକ୍ଷା ହେଉନାହିଁ? ପରାଜୟ ପଛର କାରଣ ଖୋଜିବାକୁ କାହିଁକି କେହି ଚାହିଲେ ନାହିଁ? ସମୀକ୍ଷା ହେଲେ ପରାଜୟ ପଛରେ ଥିବା ନେତା‌ ଧରାପଡ଼ିଯିବେ। କଂଗ୍ରେସରେ ଗୋଷ୍ଠୀବାଦ ଚାଲିଛି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ କୋଣଠେସା କରି ଦିଆଯାଇଛି। ବ୍ୟବସ୍ଥାରୁ ସମ୍ପୂର୍ଣ୍ଣ ଦୂରରେ ରଖାଯାଇଛି। ଯେଉଁଥିପାଇଁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି।

ନେତାମାନଙ୍କର ଏଭଳି ବୟାନକୁ ନେଇ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ କହିଛନ୍ତି, କେଉଁ ନେତା ଦଳ ବିରୋଧରେ କ’ଣ ମନ୍ତବ୍ୟ ଦେଉଛନ୍ତି ଓ ତାଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଏଆଇସିସି ହିଁ ନିଷ୍ପତ୍ତି ନେବ। ବର୍ତ୍ତମାନ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି। କଂଗ୍ରେସ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ଦଳ ୪ ଜଣଙ୍କୁ ଦାୟିତ୍ବ ଦେଇଛି। ଯେପର୍ଯ୍ୟନ୍ତ ପିସିସି ସଭାପତି ଚୟନ ହୋଇନାହାନ୍ତି କି କୌଣସି କମିଟି କାର୍ଯ୍ୟକ୍ଷମ ହୋଇନାହିଁ ସେ ପର୍ଯ୍ୟନ୍ତ ସମସ୍ତ ନେତା ଶୃଙ୍ଖଳିତ ରହିବା ଉଚିତ।

ଏଠାରେ ଉଲ୍ଲେଖଯୋଗ୍ୟ, ନିର୍ବାଚନରେ କ୍ରମାଗତ ଭାବେ ଶୋଚନୀୟ ପ୍ରଦର୍ଶନ କରିବା ପରେ ଦଳର ଶୀର୍ଷ ନେତୃତ୍ବ ଓଡ଼ିଶା ସଂଗଠନକୁ ନେଇ ଯେତିକି ଚିନ୍ତାରେ, ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ କଂଗ୍ରେସ କର୍ମୀଙ୍କ ଚିନ୍ତା ବି ସେତିକି। ଇତିମଧ୍ୟରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ହାଇକମାଣ୍ଡ ଓଡ଼ିଶା କମିଟି ଭାଙ୍ଗିଦେଇଛନ୍ତି। ମାସାଧିକ ହେଲାଣି, ଏଯାଏ କିଏ ପିସିସି ମୁକୁଟ ପିନ୍ଧିବ, ତାହା ସ୍ଥିର ହୋଇପାରୁନାହିଁ। ଏପଟେ କିନ୍ତୁ ରାଜ୍ୟ କଂଗ୍ରେସ ଉପରେ କେନ୍ଦ୍ରୀୟ ନେତୃତ୍ବ ଏଭଳି ନିଷ୍ପତ୍ତି ଲଦି ଚାଲିଛନ୍ତି ଯେ ତାହା ଦଳକୁ ସଜାଡ଼ିବା ପରିବର୍ତ୍ତେ ବିଗାଡ଼ିବାକୁ ବସିଲେଣି।

Leave a Reply

Your email address will not be published. Required fields are marked *