Oplus_131072

ନୂଆଦିଲ୍ଲୀ: ସାଇବର ଠକେଇ, ବିଶେଷକରି ସ୍ପାମ ମେସେଜ୍‌ ଉପରେ ରୋକ୍‌ ଲଗାଇବା ପାଇଁ ଭାରତୀୟ ଟେଲି ନିୟାମକ ପ୍ରାଧିକରଣ (ଟ୍ରାଇ) ନୂଆ ଯୋଜନା କରିଛି। ଟେଲିକମ୍ କମ୍ପାନିଗୁଡ଼ିକୁ ଏହି ମର୍ମରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ୟୁଆର୍‌ଏଲ୍‌, ଓଟିଟି ଲିଙ୍କ୍‌ ଏବଂ ଏପିକେ (ଆଣ୍ଡ୍ରଏଡ ଆପ୍ଲିକେସନ ପ୍ୟାକେଜ୍‌) ଥିବା ମେସେଜ୍ କିମ୍ବା କଲ୍‌ ନମ୍ବର ଯେଉଁଗୁଡ଼ିକ ଟେଲିକମ୍‌ କମ୍ପାନିଙ୍କ ନିକ‌ଟରେ ହ୍ବାଇଟ୍‌ଲିଷ୍ଟେଡ୍‌ କିମ୍ବା ପଞ୍ଜୀକୃତ ହୋଇନାହିଁ ସେଗୁଡ଼ିକୁ ବନ୍ଦ କରିବା ପାଇଁ ଟ୍ରାଇ ଟେଲିକମ୍‌ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ସେପ୍ଟେମ୍ବର ପହିଲାରୁ ଏହା କାର୍ଯ୍ୟକାରୀ ହେବା ସମ୍ଭାବନା ରହିଛି। ଯଦି ଏହା ହୁଏ ତା’ହେଲେ ଆଗାମୀ ଦିନରେ ବ୍ୟାଙ୍କ, ଅନ୍ୟ ଆର୍ଥିକ ପ୍ରତିଷ୍ଠାନ ଓ ଇ-କମର୍ସ କମ୍ପାନିଗୁଡ଼ିକ ଗ୍ରାହକଙ୍କ ନିକଟକୁ ପଠାଉଥିବା ମେସେଜ୍‌ ବନ୍ଦ ହୋଇଯିବ।

ଟ୍ରାଇ ଏହା ଦ୍ବାରା ସତର୍କ କରାଇ ଦେଇଛି ଯେ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଓ ଅନଲାଇନ ପ୍ଲାଟଫର୍ମଗୁଡ଼ିକ ସେମାନଙ୍କ ଟେମ୍ପଲେଟ୍‌ ବା କଣ୍ଟେଣ୍ଟ୍‌କୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ପଞ୍ଜୀକରଣ କରାଇ ନିଅନ୍ତୁ। ଅନ୍ୟଥା ସେପ୍ଟେମ୍ବର ପହିଲାରୁ ଏସବୁ ମେସେଜ୍‌ ବ୍ଲକ୍‌ ହୋଇଯିବ। ବିଶେଷଜ୍ଞଙ୍କ କହିବାନୁଯାୟୀ, ବର୍ତ୍ତମାନ ବ୍ୟାଙ୍କ ଓ ଅନଲାଇନ ପ୍ଲାଟଫର୍ମଗୁଡ଼ିକ ସେମାନଙ୍କ ହେଡର୍‌ ଓ ଟେମ୍ପଲେଟ୍‌ଗୁଡ଼ିକୁ ଟେଲିକମ୍‌ ‌ସେବା ପ୍ରଦାନକାରୀ କମ୍ପାନିଙ୍କ ନିକଟରେ ପଞ୍ଜୀକୃତ କରୁଛନ୍ତି। ଏହାଦ୍ବାରା କମ୍ପାନିଗୁଡ଼ିକ ପଠାଉଥିବା ମେସେଜ୍‌କୁ ଯାଞ୍ଚ କରାଯାଇ ନଥାଏ। କିନ୍ତୁ ଆସନ୍ତାମାସରୁ ଟେଲିକମ୍‌ କମ୍ପାନିଗୁଡ଼ିକୁ ଏଭଳି ବ୍ୟବସ୍ଥା ବିକାଶ କରିବାକୁ ହେବ ଯାହାଦ୍ବାରା ବ୍ୟାଙ୍କ ଓ ଅନଲାଇନ୍‌ ସଂସ୍ଥାଗୁଡ଼ିକ ପଠାଉଥିବା ମେସେଜକୁ ପଢ଼ାଯାଇ ପାରିବ। ଯେଉଁଗୁଡ଼ିକ ପଞ୍ଜୀକୃତ ହୋଇଥିବା ମେସେଜ୍‌ର ରେକର୍ଡ ସହିତ ମେଳ ନଖାଇବ ସେଗୁଡ଼ିକୁ ବ୍ଲକ୍‌ କରି ଦିଆଯିବ।

ଭାରତରେ ଦିନକୁ ୧୫୦ କୋଟିରୁ ୧୭୦ କୋଟି ପର୍ଯ୍ୟନ୍ତ ବାଣିଜ୍ୟିକ ମେସେଜ୍‌ ପଠାଯାଇଥାଏ। ମାସକୁ ପ୍ରାୟ ୫୫୦୦ କୋଟି ମେସେଜ୍‌ ପଠାଯାଇଥାଏ। ତେବେ ଟେଲିକମ୍‌ କମ୍ପାନିଗୁଡ଼ିକ ନୂଆ ନିୟମ କାର୍ଯ୍ୟକାରୀ କରିବା ପାଇଁ କିଛି ଅଧିକ ସମୟ ଟ୍ରାଇଠାରୁ ମାଗିଛନ୍ତି। କାରଣ ନୂଆ ନିୟମ କାର୍ଯ୍ୟକାରୀ ‌କରିବାକୁ ହେଲେ ବ୍ଲକଚେନ୍‌ ଭିତ୍ତିକ ଡିଷ୍ଟ୍ରିବ୍ୟୁଟେଡ ଲେଜର ଟେକ୍ନୋଲୋଜି ପ୍ଲାଟଫର୍ମକୁ ସେମାନଙ୍କୁ ଅପଡେଟ୍‌ କରିବାକୁ ହେବ। ଟ୍ରାଇର କହିବା କଥା ଟେଲିକମ୍‌ କମ୍ପାନିଗୁଡ଼ିକୁ ଏଥିପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି। ତେଣୁ ଆଉ ଅଧିକ ସମୟ ଦିଆଯିବାର ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *