(ସୁଲଗ୍ନା ମହାନ୍ତି)- ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି । କାର୍ତ୍ତିକ ମାସର ଅମାବାସ୍ୟାରେ ଏହି ପର୍ବ ପାଳିତ ହୋଇଥାଏ। ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍ ଧୁମ୍ଧାମରେ ପାଳନ କରାଯାଇଥାଏ । ଓଡ଼ିଶାରେ ଏହିଦିନ କାଉଁରିଆ ଜଳାଇ ବଡ଼ବଡ଼ିଆ ଡକାଯାଇଥାଏ । ଏହି ଦିନ ମା’ କାଳୀଙ୍କୁ ମଧ୍ୟ ଆରାଧନା କରାଯାଏ। ପରମ୍ପରା ଦୃଷ୍ଟିରୁ, ଏହା ଆଲୋକର ଏକ ମହାନ ପର୍ବ। ଆଲୋକ ଏକପ୍ରକାର ସକାରତ୍ମକ ଶକ୍ତି । ତେଣୁ ଏହି ଦିନ ଲୋକମାନେ ଘରକୁ ଆଲୋକମାଳାରେ ସୁସଜ୍ଜିତ କରି ନକାରାତ୍ମକ ଶକ୍ତିକୁ ବାହାର କରିଦିଅନ୍ତି। ଅନ୍ଧାରରୂପକ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ରହିଛି। ଆନନ୍ଦ, ଉଲ୍ଲାସ, ଭକ୍ତି ଓ ଶକ୍ତିର ପର୍ବ ଦୀପାବଳୀକୁ ନେଇ ଚଳଚଞ୍ଚଳ ହୋଇଉଠେ ପୁରପଲ୍ଲୀ ।
ବିଶେଷତଃ ଓଡ଼ିଶାରେ ଦୀପାବଳି ଦିନ ପୟା ଶ୍ରାଦ୍ଧ ଅନୁଷ୍ଠିତ ହୁଏ। ତୁଳସୀ ଚଉଁରା ପାଖରେ ମୁରୁଜରେ ଚିତା କାଟି ପିତୃ ପୁରୁଷଙ୍କୁ ଫଳମୂଳ ତଥା ଦୀପଦାନ କରାଯାଇଥାଏ। ବଡ଼ବଡ଼ୁଆ ଅର୍ଥାତ୍ ପିତୃପୁରୁଷଙ୍କୁ କାଉଁରିଆ କାଠି ଜାଳି ଲୋକେ ଆଲୋକ ପ୍ରଦର୍ଶନ କରିଥାନ୍ତି। ପିତୃ ପୁରୁଷମାନେ ପିତୃପକ୍ଷରେ ଆସି ଦାୟାଦଙ୍କଠାରୁ ତର୍ପଣ, ପିଣ୍ଡ ପ୍ରଭୃତି ଗ୍ରହଣ କରି ଦୀପାବଳିେର ବିଦାୟ ନେଇଥାନ୍ତି। ସେଥିପାଇଁ ଲୋକେ କହିଥାନ୍ତି, ‘‘ବଡ଼ବଡ଼ୁଆ ହୋ! ଅନ୍ଧାରରେ ଆସି ଆଲୁଅରେ ଯାଅ। ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚେ ଗଡ଼ଗଡ଼ଉ ଥାଅ।” ଓଡ଼ିଶା ସମେତ ଦେଶର ପ୍ରତ୍ୟେକ ହିନ୍ଦୁ ପରିବାର ଘରେ ପିଠାପଣା କରି ଆନନ୍ଦ ଉଲ୍ଲାସର ସହ ଦୀପାବଳି ମନାଇଥାନ୍ତି। ପୁରାଣ କଥା ଅନୁସାରେ, ପ୍ରଭୁ ରାମଚନ୍ଦ୍ର ରାବଣକୁ ବଧ କରି ମାତା ସୀତାଙ୍କୁ ଉଦ୍ଧାର କରି ଆଜି ଅଯୋଧ୍ୟା ଫେରିଥିଲେ। ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟକୁ ପାଳନ କରିବାକୁ ଯାଇ ଘରେ ଦୀପ ଜାଳିଥିଲେ। ସେହି ଦିନରୁ ହିଁ ଭାରତବର୍ଷରେ ଏହି ଉତ୍ସବ ପାଳନ କରାଯାଉଛି ବୋଲି କୁହାଯାଏ।
ଦୀପାବଳିକୁ କୃଷିଭିତ୍ତିକ ପର୍ବ ଭାବେ ମଧ୍ୟ ବିବେଚନା କରାଯାଏ। ଦୀପାବଳିରେ ଦୀପ ଏବଂ ଆଲୋକ ଜଳାଇ କୀଟଙ୍କୁ ଆକୃଷ୍ଟ କରି ଦମନ କରାଯାଏ। ଦୀପାବଳି ଅମାବାସ୍ୟାର ପୂର୍ବ ଦିନକୁ ନରକ ଚତୁର୍ଦ୍ଦଶୀ ବୋଲି କୁହାଯାଏ। କାରଣ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମହାକାଳୀଙ୍କ ସହାୟତାରେ ନରକାସୁରକୁ ବଧ କରିଥିଲେ। କାର୍ତ୍ତିକ ଅମାବାସ୍ୟା ଦିନ ଜଗଜ୍ଜନନୀ ମହାକାଳୀଙ୍କ ପୂଜା କରାଯିବାର ବିଧି ରହିଛି। ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳିରେ ମା’ କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ମୃଣ୍ମୟ ମୂର୍ତ୍ତିଙ୍କ ପୂଜା ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ । ସେହିପରି ଭାରତର ଅନ୍ୟାନ୍ୟ ଅଂଶରେ ଦୀପାବଳି, ଲକ୍ଷ୍ମୀ ପୂଜାର ସମୟ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ଏହି ଦିନ ଲୋକ ନିଜ ନିଜ ଘରକୁ ଆଲୋକରେ ସଜାଇବା ସହିତ ଧନଦାତ୍ରୀ ମା’ ଲକ୍ଷ୍ମୀ ଏବଂ ଗୌରୀପୁତ୍ର ଭଗବାନ ଗଣେଶଙ୍କର ମଧ୍ୟ ପୂଜା କରିଥାନ୍ତି।