କଟକ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ମହାମେଳା ଐତିହାସିକ କଟକ ବାଲିଯାତ୍ରା। ବହୁବର୍ଷର ବ୍ୟବଧାନ ପରେ କଟକ ବାଲିଯାତ୍ରାକୁ ଉଦ୍ଘାଟନ କରିବେ ରାଜ୍ୟର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ବାଲିଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତିପର୍ବ ଇତିମଧ୍ୟରେ ଚୂଡ଼ାନ୍ତ ହୋଇଛି। ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାଲିଯାତ୍ରାରେ ଏଥର ଅନେକ କିଛି ଆକର୍ଷଣୀୟ ଆଉ ନୂଆ କଥା ଯୋଡ଼ା ହୋଇଛି। ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପ୍ରକ୍ରିୟାରେ ପ୍ରଥମଥର ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ହାଇକମିସନରଙ୍କ ସମେତ ୮ଟି ଦେଶର କଳାକାର ବାଲିଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଓ ବୁର୍ଣ୍ଣେଇର ରାଷ୍ଟ୍ରଦୂତ ଓ ହାଇକମିସନର ଯୋଗଦେବେ।