Oplus_131072

ଭୁବନେଶ୍ବର: ରାଜ୍ୟ ସରକାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ରାଜ୍ୟ ସରକାର ବର୍ଷକୁ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଘୋଷଣା କରିସାରିଛନ୍ତି। ତେଣୁ ପୂର୍ବ ସରକାର ସମୟରେ ହୋଇଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ପ୍ରକଳ୍ପଗୁଡ଼ିକର ଭବିଷ୍ୟତ କ’ଣ ହେବ, ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ବିରୋଧୀ ମଧ୍ୟ ବାରମ୍ବାର ସରକାରଙ୍କୁ ଘେରୁଥିଲେ। ତେବେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ଜାରି ହୋଇଥିବା ଏକ ମାର୍ଗଦର୍ଶିକାରେ ଏ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ଏଥିରେ ଦର୍ଶାଯାଇଛି, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକୁ ‌ଶେଷ କରାଯିବ। ତେବେ ସର୍ତ୍ତ ରହିଛି ଯେ ଉକ୍ତ ଯୋଜନାରେ ହୋଇଥିବା ପ୍ରକଳ୍ପ ଗୁଡ଼ିକରେ ପୂର୍ବରୁ ମଞ୍ଜୁର ହୋଇଥିବା ଅର୍ଥରୁ ଅତି କମ୍‌ରେ ୨୦% ଖର୍ଚ୍ଚ ହୋଇଥିବ ଏବଂ ଏହା ଲୋକଙ୍କ ବିକାଶ ‌ପାଇଁ ନିର୍ମାଣ ହେଉଥିବା ଦରକାର। ଯେଉଁ ପ୍ରକଳ୍ପର କାମ ଆରମ୍ଭ ହୋଇନି ସେହି ପ୍ରକଳ୍ପ ପାଇଁ ଅର୍ଥ ବରାଦ ହେବନି।

ମାର୍ଗଦର୍ଶିକା ଅନୁଯାୟୀ, ପ୍ରତି ବ୍ଲକରେ ଏକ ପାଠାଗାର ନିର୍ମାଣ ହେବ। ଏଠାରେ ଚେୟାର, ଟେବୁଲ, ବିଦ୍ୟୁତ, ଇଣ୍ଟରନେଟ, ଶୌଚାଳୟ ସୁବିଧା ରହିବ। ଚାକିରି ଆଶାୟୀ ଯୁବବର୍ଗ, ଛାତ୍ରଛାତ୍ରୀ ସ୍ବଳ୍ପ ଅର୍ଥ ଦେଇ ପାଠ ପଢ଼ିପାରିବେ। ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ। ସେହିପରି ଗ୍ରାମାଞ୍ଚଳରେ ଛୋଟ ଆଉଟଡୋର୍ ଭିତ୍ତିଭୂମି ନିର୍ମାଣ ହେବ। ଏଠାରେ ଲଙ୍ଗ ଜମ୍ପ୍, ହାଇ ଜମ୍ପ୍‌, ରୋପ୍ କ୍ଲାଇମ୍ବିଂ, ମଙ୍କି-ହ୍ୟାଙ୍ଗିଂ ଭଳି ଖେଳ ପାଇଁ ଭିତ୍ତିଭୂମି ରହିବ। ଏହି ଯୋଜନାରେ ଗାଁକୁ ରାସ୍ତା ଉପରେ ଫୋକସ୍ ଦିଆଯାଇଛି। ଯେଉଁ ଗାଁକୁ ରାସ୍ତା ନାହିଁ, ମୁଖ୍ୟ ରାସ୍ତାକୁ ସଂଯୋଗ କରି ରାସ୍ତା ନିର୍ମାଣ, ଆବଶ୍ୟକ ସ୍ଥଳେ ପିଚୁ, କଙ୍କ୍ରିଟ ଓ ପେଭର ବ୍ଲକ ରାସ୍ତା, କଲଭର୍ଟ ଆଦି ନିର୍ମାଣ କରାଯିବ। ପିଭିଟିଜି ଅଞ୍ଚଳ, ନକ୍ସଲ ପ୍ରଭାବିତ ଅଞ୍ଚଳ, ଜଙ୍ଗଲ ସଂରକ୍ଷିତ ଅଞ୍ଚଳରେ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ ହେବ। ହେଲେ ରାସ୍ତା ଏବଂ ଏସମ୍ପର୍କିତ ପ୍ରକଳ୍ପ ପାଇଁ ମୋଟ୍ ବରାଦ ଅର୍ଥର ୩୫% ଖର୍ଚ୍ଚ ହୋଇପାରିବ। ଯେଉଁ ରାସ୍ତା ପାଇଁ ଯେତିକି ଅର୍ଥ ବରାଦ ହେବ ସେଥିରେ ଯେପରି ରାସ୍ତା ନିର୍ମାଣ ଶେଷ ହେଉଥିବ ତାହାକୁ ନଜରରେ ରଖିବାକୁ ହେବ। ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ସୁଦୃଢ଼ କରାଯିବ। ବିଭିନ୍ନ ଅଭିନବ ପ୍ରକଳ୍ପ ପାଇଁ ସର୍ବାଧିକ ୫% ଅର୍ଥ ଖର୍ଚ୍ଚ ହୋଇପାରିବ। ଆବଶ୍ୟକ ସ୍ଥଳେ ଅନ୍ୟ ବିଭାଗର ପ୍ରକଳ୍ପକୁ ଏଥିରେ ସାମିଲ କରାଯିବ। କିନ୍ତୁ ୩ଲକ୍ଷ ଟଙ୍କାରୁ କମ୍‌ ଆକଳନ ହୋଇଥିବା ପ୍ରକଳ୍ପକୁ ଏଥିରେ ସାମିଲ କରାଯିବନି। ଯେଉଁ ପ୍ରକଳ୍ପ ଗ୍ରାମାଞ୍ଚଳ ଭିତ୍ତିରେ ହେବ ସେଥିପାଇଁ ପଞ୍ଚାୟତିରାଜ ବିଭାଗ ଅର୍ଥ ବରାଦ କରିବ। ଯେଉଁ ପ୍ରକଳ୍ପ ସାରା ରାଜ୍ୟରେ ହେବ ସେଥିପାଇଁ ରାଜ୍ୟ ବଜେଟ୍‌ରୁ ଅର୍ଥ ବରାଦ ହେବ। ସବୁ ପ୍ରକଳ୍ପ ଯେପରି ଠିକ୍ ଭାବେ କାର୍ଯ୍ୟକାରୀ ହେବ ସେନେଇ ଜିଲ୍ଲାପାଳମାନେ ପ୍ରତି ତିନି ମାସରେ ଥରେ ସମୀକ୍ଷା କରି ପଞ୍ଚାୟତିରାଜ ବିଭାଗକୁ ରିପୋର୍ଟ ଦେବେ। ଏହାବାଦ୍ ପ୍ରତି ପ୍ରକଳ୍ପର ଆରମ୍ଭ, କାମ ମଝିରେ ଏବଂ ଶେଷ ହେବା ବେଳର ଫଟୋ ଜିଓ ଟ୍ୟାଗିଂ କରି ୱେବସାଇଟ୍‌ରେ ଅପଲୋଡ୍ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *