ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ମୋଦୀ କହିଛନ୍ତି, ନଟୱର ସିଂହଙ୍କ ବିୟୋଗରେ ଦୁଃଖିତ। କୂଟନୀତି ଓ ବୈଦେଶିକ ନୀତି ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେ ତାଙ୍କର ବୁଦ୍ଧି ତଥା ଉତ୍କୃଷ୍ଟ ଲେଖା ପାଇଁ ମଧ୍ୟ ଜଣାଶୁଣା ଥିଲେ । ଦୁଃଖର ଏହି ମୁହୂର୍ତ୍ତରେ ମୋର ସମବେଦନା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ଅଛି।
ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ନଟୱର ସିଂହ ରାଜସ୍ଥାନର ଭରତପୁରରେ ୧୯୩୧ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଭାରତ ସରକାର ‘ପଦ୍ମଭୂଷଣ’ରେ ୧୯୮୪ ମସିହାରେ ସମ୍ମାନିତ କରିଥିଲେ। ୟୁପିଏ ସରକାର-୧ରେ ବିଦେଶ ମନ୍ତ୍ରୀ ଥିବା ସ୍ବର୍ଗତଃ tସିଂହ ପାକିସ୍ତାନରେ ଭାରତର ରାଷ୍ଟ୍ରଦୂତ ଭାବେ ସେବା ଦେଇଥିଲେ। କଂଗ୍ରେସରେ ଯୋଗଦେବା ପୂର୍ବରୁ ଜଣେ ସଭିଲ ସର୍ଭିସ ଅଧିକାରୀ ଭାବେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟାଳୟରେ ୧୯୬୬ରୁ ୧୯୭୧ ଯାଏଁ କାମ କରିଥିଲେ। ସେହିପରି ରାଜୀବ ଗାନ୍ଧୀଙ୍କ କ୍ୟାବିନେଟରେ ସେ ମନ୍ତ୍ରୀ ପଦବି ପାଇଥିଲେ।
କଂଗ୍ରେସର ପୂର୍ବତନ ସାଂସଦ ସ୍ବର୍ଗତଃ ନଟୱର ସିଂହ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ବ ୟୁପିଏ-୧ ସରକାରରେ ୨୦୦୪-୨୦୦୫ରେ ବିଦେଶ ମନ୍ତ୍ରୀ ଥିଲେ। ନଟୱର ସିଂହ ଜଣେ ଲେଖକ ମଧ୍ୟ ଥିଲେ। ତାଙ୍କର ରଚିତ ପୁସ୍ତକଗୁଡ଼ିକ ହେଲା ଦ ଲେଗାସି ଅଫ୍ ନେହରୁ: ଏ ମେମୋରିଆଲ ଟ୍ରିବ୍ୟୁଟ ଏବଂ ମାଇ ଚାଇନା ଡାଏରି ୧୯୫୬-୮୮। ତାଙ୍କର ଆତ୍ମଜୀବନୀ ପୁସ୍ତକ ହେଉଛି ‘ୱାନ୍ ଲାଇଫ୍ ଇଚ୍ ନଟ୍ ଏନଚ୍‘।
କଂଗ୍ରେସ ନେତା ଓ ରାଜ୍ୟସଭା ସାଂସଦ ରଣଦୀପ ସିଂହ ସୁରେଜୱାଲ, ନଟୱର ସିଂହଙ୍କ ପରଲୋକ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନଟବର ସିଂହଙ୍କ ପରଲୋକରେ କଂଗ୍ରେସକୁ ଏକ ବଡ଼ କ୍ଷତି ପହଞ୍ଚାଇଛି। ଶ୍ରୀ ସୁରେଜୱାଲ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

