ଓ.ନ, ଯାଜପୁର (୩/୫): ମା’ ବିରଜା ପରିକ୍ରମା ପ୍ରକଳ୍ପ, ବିରଜା ଆଗ୍ନେଶ୍ଵର ଅତ୍ୟାଧୁନିକ ହାଟ ନିର୍ମାଣ, ଯାଜପୁର ସଦର ମହକୁମା ବସଷ୍ଟାଣ୍ଡ ସହ ବିରଜା କ୍ଷେତ୍ରକୁ ରେଳ ସଂଯୋଗିକରଣ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଯାଜପୁର ଲୋକସଭା ସାଂସଦ ଡଃ. ରବିନ୍ଦ୍ର ନାରାୟଣ ବେହେରା ଓ ବିଜେପି ର ବରିଷ୍ଠ ନେତା ଶ୍ରୀ ଗୌତମ ରାୟ ସାକ୍ଷାତ କରି ଧନ୍ୟବାଦ ଅର୍ପଣ କରିଛନ୍ତି।
ଏଥି ସହ ତୁରନ୍ତ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ବରାନ୍ବିତ କରି ରେଳ ସଂଯୋଗିକରଣ କାର୍ଯ୍ୟ ଆରମ୍ଭ କରିବା ସହ ନିର୍ମାଣଧୀନ ଷଠିପୁର ସାଇନ୍ସ ପାର୍କ, ଆଡ଼ଭେଞ୍ଚର ପାର୍କ,ଶିବ ମୂର୍ତ୍ତି ପ୍ରକଳ୍ପ, ମ୍ୟୁଜିୟମ, ପ୍ରଶାସନିକ ଭବନ, ସ୍ପୋର୍ଟସ କମ୍ପ୍ଲେକ୍ସ,କୁସୁମା ଆଦି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହିତ ଷଠିପୁର ଅର୍ଦ୍ଧାଉଳିଆ ରାସ୍ତା,ମା’ ମଙ୍ଗଳା ପ୍ରକଳ୍ପ, ବୁଢ଼ାଘାଟ ମାନସାପୋଲ ରାସ୍ତା,ମୋଟରଙ୍ଗାପାଳ ବଳିଘାଇ ରାସ୍ତା,ମାନସାପୋଲ – ଅଠରନଳା ରାସ୍ତାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଅନୁରୋଧ କରିଛନ୍ତି।
ଏଥି ସହ ଯଯାତି କେଶରୀ ମେଡିକାଲ କଲେଜ ଓ ହସପିଟାଲ କୁ ତୁରନ୍ତ ଆଉ ୫୦ ସିଟ୍ ବଢ଼ାଇବା ସହ ସ୍ଵୟଂ ସମ୍ପୂର୍ଣ୍ଣ କରି ଚାଲୁ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।
ସଂପ୍ରତି ଦଶରଥପୁର ଅଞ୍ଚଳରେ ଦେଖାଦେଇଥିବା ବିଷାକ୍ତ ଦହିବରା ଖାଇ ଅସୁସ୍ଥ ହୋଇଥିବା ପିଡ଼ିତା ମାନଙ୍କ ସମସ୍ୟା ଓ ମେଡିକାଲର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି।
ଏ ସମସ୍ତ କଥାକୁ ଗୁରୁତ୍ବର ସହ ବିଚାରକୁ ନେଇ ତ୍ଵରିତ ପଦକ୍ଷେପ ସରକାର ଗ୍ରହଣ କରିବେ ବୋଲି ଯାଜପୁର ସାଂସଦ ଡଃ. ବେହେରା ଓ ଶ୍ରୀ ରାୟ ଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାଯାଏ।
