Sulagna Speaks: Painfull Picture…..ମା’ କୋଳରେ ଆ’ କହିଲା ମୃତ୍ୟୁ। ଜାବୁଡ଼ି ପଡି ଯାଇଥିବା ହାତ ଆଉ ବନ୍ଧା ପଡିଥିବା ଦେହ କହୁଛି, ମା’ କୋଳରେ ପୁଅ ଶୋଇଛି । ନର୍ମଦାର ଅଥଳ ଜଳ ଭିତରେ ବିଲକୁଲ ଚୁପଚାପ । ନଦୀର ଏ ଘୁ ଘୁ ଗର୍ଜନ ବି ତା ନିଦ ଭାଙ୍ଗିପାରୁନି । ମା’ କୋଳ ସବୁଠାରୁ ନିରାପଦ ଆଶ୍ରୟ ବୋଲି ତା ନିଦ ତାକୁ ନିସ୍ତେଜ କରି ଦେଇଛି ଏଠି । ୟା ଭିତରେ ମା’ ମଲାଣି ସିଏ ଜାଣିନି । ଅବଶ୍ୟ ଜାଣିବ ବା କେମିତି ??? ଜୀବନ ମୃତ୍ୟୁକୁ ବୁଝିବା ଆଗରୁ ତା ଜୀବନ ଦୀପ ବି ଲିଭି ଯାଇଛି ତା ମା’ ସାଙ୍ଗରେ । ଏ ଦୃଶ୍ୟ ବର୍ଣ୍ଣିବାକୁ ଆମ ପାଖରେ ଶବ୍ଦ ନାହିଁ । କାହାଣୀ ବଖାଣିବା ଆଗରୁ ଏ ଫଟୋଟି ହିଁ ଆମକୁ ନିସ୍ତବ୍ଧ କରି ଦେଉଛି ।
ଘଟଣା କ୍ରମରେ ମଧ୍ଯ ପ୍ରଦେଶର ଜବଲପୁର ନିକଟସ୍ଥ ନର୍ମଦା ନଦୀରେ ହୋଇଥିବା ବାର୍ଗୀ ଡ୍ୟାମରେ ପର୍ଯ୍ୟଟକଙ୍କ ନୌବିହାର ପାଇଁ ଉଦ୍ଦିଷ୍ଟ ଏକ ମୋଟର ବୋଟ୍ ବା ଯନ୍ତ୍ର ଚାଳିତ ଡଙ୍ଗା ଯାହାକୁ କ୍ରୁଜ୍ କୁହାଯାଉଛି, ହଠାତ୍ ମାଡ଼ି ଆସିଥିବା ପ୍ରବଳ ପବନକୁ ସାମ୍ନା କରି ନପାରି ବୁଡ଼ି ଗଲା। ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣଙ୍କୁ ଉଦ୍ଧାର କରା ଯାଇପାରିଲା। ତେବେ ସବୁଠୁ କରୁଣ, ଦାରୁଣ ଓ ହୃଦୟ ବିଦାରକ ଥିଲା, ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପାଣି ଭିତରେ ବୁଡ଼ି ମୃତ ଶରୀର ଗୁଡିକୁ ଉଦ୍ଧାର କଲାବେଳେ ଜଣେ ୪ ବର୍ଷର ପୁତ୍ର ସନ୍ତାନକୁ ତାର ମା ନିଜ ଛାତି ଭିତରେ ଜାବୁଡ଼ି ଧରି ଥିବାର ଦୃଶ୍ୟ। ମା ନିଜ ପୁଅକୁ ସେ ପିନ୍ଧିଥିବା ଲାଇଫ ଜ୍ୟାକେଟ ଭିତରେ ପୁରାଇ, ବଞ୍ଚାଇବାକୁ ଚେଷ୍ଟା କରି ହାରି ଯାଇଥିବାର ସେ ଦୃଶ୍ୟ ଦେଖି ଉଦ୍ଧାର କାରୀ ଦଳ ବି ନିଜର କୋହ ସମ୍ବରଣ କରି ପାରି ନଥିଲେ। ମାନବୀୟ ସମ୍ବେଦନାକୁ ଦୋହଲାଇ ଦେଲା ଭଳି ଥିଲା ଏ ଦୁଃଖ ଦାୟକ ଦୃଶ୍ୟ। ସୂଚନାଯୋଗ୍ୟ ଯେ ଦିଲ୍ଲୀରୁ ବୁଲି ଆସିଥିବା ଏ ପରିବାରର ବାପ – ଝିଅଙ୍କୁ ଉଦ୍ଧାର କରାଯାଇ ପାରିଥିବା ବେଳେ ମା – ପୁଅ କାଳର କ୍ରୁର କରାଳ ଗ୍ରାସ କବଳରୁ ବର୍ତ୍ତି ପାରିନଥିଲେ।
