Sulagna speaks: ନାରୀ
ନାରୀ ସମାଜର ଅମୂଲ୍ୟ ସମ୍ପଦ। ସେ ଜଣେ ମା, ଭଉଣୀ, ଝିଅ ଓ ସ୍ତ୍ରୀ ଭାବେ ପରିବାର ଓ ସମାଜକୁ ଗଢ଼ି ତୋଳନ୍ତି। ନାରୀଙ୍କ ଅବଦାନ ବିନା ସମାଜର ଉନ୍ନତି କଳ୍ପନା କରାଯାଇପାରେ ନାହିଁ। ସେହିପାଇଁ ନାରୀଙ୍କୁ ସମାଜର ମୂଳ ଭିତ୍ତି ବୋଲି କୁହାଯାଏ।ନାରୀ ପରିବାରର ପ୍ରଥମ ଶିକ୍ଷକ। ଜଣେ ମା ନିଜ ସନ୍ତାନଙ୍କୁ ଭଲ ଶିକ୍ଷା, ସଂସ୍କାର ଓ ନୈତିକ ମୂଲ୍ୟବୋଧ ଦେଇଥାନ୍ତି।
ନାରୀ ଏଭଳି ଶବ୍ଦଟିଏ ଏହା ସହିତ ଯୋଡ଼ା ବହୁତ୍ କିଛି। ନାରୀର ଜୀବନକୁ ନାରୀର ମନକୁ ନାରୀର ଯାତ୍ରାପଥକୁ ଯଦି ସମୁଦ୍ରର ଗଭୀରତା ସହ ତୁଳନା କରାଯିବା ତେବେ ବି ଏହା କମ୍ ହେବ। ଈଶ୍ୱରଙ୍କ ସୃଷ୍ଟିରେ ନାରୀ ଅଛି, ସାହିତ୍ୟିକଙ୍କ ସୃଷ୍ଟିରେ ନାରୀ ଅଛି, ପ୍ରକୃତିରେ ନାରୀ ଅଛି; ଘରୁ ବାହାର ଯାକେ ଚାରିଆଡ଼େ ନାରୀର ଅବସ୍ଥିତି। ତେବେ କାହାଣୀରୁ କବିତାରୁ ବାସ୍ତବତା ଯାକେ ନାରୀର ଜୀବନ ହେଉଛି ଗୋଟିଏ ଅନ୍ତହୀନ ସଂଘର୍ଷ। ଅବଶ୍ୟ କେହି କେହି ସେଥିରୁ ବାଦ୍ ପଡ଼ନ୍ତି। ଯେଉଁ ସାହିତ୍ୟରେ ବେଳେବେଳେ ନାରୀର ଜୀବନ ସୁଖମୟ ହୋଇଥାଏ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ନାରୀ ଆଉ ସଂଘର୍ଷ ପରସ୍ପର ଯୋଡାଯୋଡି । ନାରୀ ହେଉଛି ଅନୁଭବର କବିତା, ନାରୀ ହେଉଛି ତ୍ୟାଗର କବିତା ଆଉ ନାରୀ ହେଉଛି ଅସରନ୍ତି ସଂଘର୍ଷର ସ୍ୱର। ହଁ!! ଏସବୁ ଜୀବନ୍ତ… କେବଳ ଜୀବନ୍ତ…. ନାରୀର ହୃଦୟରେ କେବଳ ସ୍ନେହ ନୁହେଁ ବରଂ ନୀରବ କାହାଣୀ ଲୁଚି ରହିଥାଏ। ତଥାପି, ପ୍ରତିଟି ବାଧାବିଘ୍ନକୁ ପାର ହୋଇ ସେ ଆଗକୁ ବଢ଼ିଚାଲେ। ଅନ୍ୟକୁ ଆଲୋକ ଦେବା ପାଇଁ ନିଜେ ଜଳିଯାଇପାରେ । ଘରର ଚାରିକାନ୍ଥ ଭିତରେ ସମସ୍ତଙ୍କ ସୁଖ-ଦୁଃଖର ହିସାବ ନିକାସ ରଖୁଥିବା ନାରୀଟିଏ, ନିଜ ଦୁଃଖକୁ ଧାରେ ସ୍ମିତହାସ୍ୟ ତଳେ ଚାପି ଦେଇପାରେ। ନାରୀର ମୂଲ୍ୟ ଖାଲି ତା’ର ରୂପ କିମ୍ବା ସମ୍ପର୍କରେ ନାହିଁ, ତା’ର ସହିଷ୍ଣୁତା, ମମତା ଆଉ ଆତ୍ମବଳରେ ଅଛି। ସର୍ବୋପରି ନାରୀ ହେଉଛି ଏକ ଅପରାଜିତ_ଶକ୍ତି…..
ଏହା ଚରମ ସତ୍ୟ ନାରୀ ଚାହିଁଲେ ଗଢ଼ି ପାରେ ଆଉ ନାରୀ ଚାହିଁଲେ ନିଶ୍ଚିତ ଭାବରେ ଭାଙ୍ଗି ଦେଇ ପାରେ। ତେବେ ନାରୀ କେବେ ଏକଥା ଭୁଲିଯିବା ଉଚିତ୍ ନୁହେଁ ଏ ଈଶ୍ୱର ତାକୁ ଭାଙ୍ଗିବା ପାଇଁ ପୃଥିବୀକୁ ପଠାଇ ନାହାନ୍ତି। ଈଶ୍ୱର ନିଜେ ଥରକୁ ଥର ବାରମ୍ବାର ଏ ସୃଷ୍ଟିକୁ ଗଢ଼ି ପାରିବେ ନାହିଁ ଏବଂ ଆଗକୁ ନେଇ ପାରିବେ ନାହିଁ ବୋଲି ତାଙ୍କ ଶକ୍ତି ଦେଇ ତାଙ୍କ ପ୍ରତୀକ ଭାବରେ ସଂସାରକୁ ଛାଡିଛନ୍ତି ନାରୀକୁ। ଏକଥା ନାରୀ ସବୁବେଳେ ମନେ ରଖିବା ଉଚିତ୍। କୌଣସି ମଣିଷକୁ ଭାଙ୍ଗିବାରେ ବ୍ରତୀ ନହୋଇ ଗଢିବାରେ ବ୍ରତୀ ହେଲେ ଭଲ। ଫଳରେ ଜନ୍ମ ପରେ ଜନ୍ମ ନିଶ୍ଚିତ ନାରୀ ଜନ୍ମଟିଏ ମିଳିପାରେ। ମୋ ମତରେ ଜନ୍ମ ପରେ ଜନ୍ମ ନାରୀ ଜନ୍ମ ବେଶ୍ ଭଲ କଥାଟିଏ……..
